ଚୋର ଉପଦ୍ରବ : ଧନଜୀବନର ସୁରକ୍ଷା ପାଇଁ ପାଳି କରି ଗାଁ ଜଗୁଛନ୍ତି ଗ୍ରାମବାସୀ

ବେଗୁନିଆ : ବେଗୁନିଆ ଥାନା କଡ଼ବ ପଞ୍ଚାୟତ ଅନ୍ତର୍ଗତ ବାଗଲପୁର ଗ୍ରାମରେ ଗତ ୧୩ ତାରିଖ ଠାରୁ ଲଗାତର ଭାବରେ ରାତିରେ ଚୋରି ହେଉଛି। ଚୋ‌ର ଧରିବା ବା ଚୋରି ରୋକିବାରେ ପୁଲିସ ବିଫଳ ହୋଇଥିବାରୁ ଏବେ ଗ୍ରାମର ଯୁବକମାନେ ପାଳି କରି ଗାଁକୁ ଜଗୁଛନ୍ତି।

ସୂଚନାଯୋଗ୍ୟ ଯେ, ଗ୍ରାମର ଅଚ୍ୟୁତ ବେହେରା, ପଞ୍ଚୁ ବେହେରା ଓ ମହେନ୍ଦ୍ର ବେହେରାଙ୍କ ଘରୁ ଗତ କିଛି ଦିନ ମଧ୍ୟରେ ଚୋରି ହୋଇଛି। ଚୋରକୁ ଧରିବାରେ ପୁଲିସ ସକ୍ଷମ ହେଉ ନଥିବାରୁ ଗ୍ରାମବାସୀମାନେ ସେମାନଙ୍କ ଧନଜୀବନ ସୁରକ୍ଷା ପାଇଁ ରାତିରେ ୮ ରୁ ୧୦ ଜଣ ପାଳିକରି ହାତରେ ଟର୍ଚ୍ଚ ଓ ଲାଇଟ ଧରି ପହରା ଦେଉଛନ୍ତି। ଗ୍ରାମର ରାସ୍ତା ଦେଇ ଯାଉଥିବା ଯାନବାହାନ, ମୋଟର ବାଇକ ଚାଳକ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇ ଗ୍ରାମବାସୀ ଯାଞ୍ଚ କରୁଛନ୍ତି। ଗ୍ରାମାବାସୀମାାନେ ପାଳିକରି ରାତିରେ ଗାଁ ମୁଣ୍ତରୁ ଆରମ୍ଭ କରି ପ୍ରତ୍ୟେକ ସାହିର ଅପର ପ୍ରାନ୍ତ ପର୍ଯ୍ୟନ୍ତ ପହରା କାର୍ଯ୍ୟକ୍ରମକୁ ନିୟମିତ ଭାବରେ ଚାଲୁ ରଖିଛନ୍ତି। ଯାହାକି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ ପକ୍ଷରୁ କୁହାଯାଉଛି ଯେ ପାଟ୍ରୋଲିଂ କାର୍ଯ୍ୟକ୍ରମ ଚାଲୁ ରହିଛି। ‌ତେବେ ପୁଲିସ ପାଟ୍ରୋଲିଂକୁ ଚକ୍‌ମା ଦେଖାଇ କେମିତି ଚୋରମାନେ ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭିତରେ ପଶି ଜିନିଷପତ୍ର, ଟଙ୍କା, ସୁନା ଓ ଗହଣା ଗୁଡିକ ଚୋରି କରି ନେଇ ଯାଉଛନ୍ତି ,ତାହା ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନୂରୂପ ଭାବରେ ମାଣିବନ୍ଧ ପଞ୍ଚୟତ ଅନ୍ତର୍ଗତ ଛାମୁଣ୍ତିଆପଲ୍ଲୀ ଗ୍ରାମରେ ମଧ୍ୟ ଲୋକମାନେ ଚୋର ଭୟରେ ପାଳିକରି ଗାଁ ଜଗୁଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତ ଅନ୍ତର୍ଗତ ତଣ୍ତାଳ ଗ୍ରାମର ଚିତ୍ତରଞ୍ଜନ ସାମନ୍ତରାୟଙ୍କ ଘରୁ ନଗଦ ଅର୍ଥ ୨୦ ହଜାର, ଆସବାବପତ୍ର ଚୋରି ହୋଇଛି। ‌ଦୁର୍ବୃତ୍ତମାନେ ଗ୍ରାମର ମଦନ ପ୍ରଧାନ ଓ ଲୋକନାଥ ବେହେରାଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଘର ଲୋକମାନେ ଉଠି ପଡିବାଫଳରେ ସେମାନେ ପଳାଇ ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର