ଇଞ୍ଜେକସନ୍ ନେବା ପରେ ମୁହଁ ପଚିଯିବା ଘଟଣା: ଦୋଷ ଖସାଇବାକୁ ଭିମ୍ସାର କର୍ତ୍ତୃପକ୍ଷଙ୍କ ପ୍ରୟାସ
ଗୁରୁତର ଯୁବତୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର, ବିଭାଗୀୟ ତଦନ୍ତ ଆରମ୍ଭ, ଥାନାରେ ଏତଲା
ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ଯୁବତୀଙ୍କ ମୁହଁ ପଚିଯିବା ଘଟଣା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ବିନା ପରୀକ୍ଷାରେ ଡାକ୍ତର ଏହି ଇଞ୍ଜେକ୍ସନ ଦେଇଥିବାରୁ ଯୁବତୀଙ୍କ ମୁହଁ ପଚିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଛି। ପରିସ୍ଥିତି ଏମିତି ହୋଇଛି ଯେ ଯୁବତୀଙ୍କ ତଳ ଓଠ ସଂପୂର୍ଣ୍ଣ ଭାବେ ପଚିଗଲାଣି। ନାକ ପର୍ଯ୍ୟନ୍ତ ମାଡ଼ିଗଲାଣି। ତାଙ୍କ ଅବସ୍ଥା ଆହୁରି ବିଗିଡ଼ିବାରେ ଲାଗିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଜିଲ୍ଲା ପ୍ରଶାସନ ବି ରେଡ୍କ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ଦେଇ ଚୁପ୍ ହୋଇ ବସିପଡ଼ିଛି। ବୁର୍ଲା ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଅନ୍ୟତ୍ର ରେଫର୍ କରି ମୁଣ୍ଡରୁ ଦୋଷ ଖସାଇବା ଉଦ୍ୟମ କରୁଥିଲେ ମଧ୍ୟ ଲୋକଦେଖାଣିଆ ଭାବେ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି। ଏଥିପାଇଁ ଯେଉଁ କମିଟି ଗଠନ ହୋଇଛି ସେଥିରେ ଥିବା ସଦସ୍ୟ ନିଜେ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି। ତେଣୁ ଏହି ତଦନ୍ତରୁ କଣ ମିଳିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ବଡ଼ କଥା ହେଉଛି; ଏହି ଘଟଣା ସାମ୍ନାକୁ ଆସିବା ପରେ ଭିମ୍ସାର କର୍ତ୍ତୃପକ୍ଷ ୧୦ ତାରିଖରୁ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପ୍ଲାଷ୍ଟିକ ସର୍ଜରି ପାଇଁ ରେଫର୍ କରିଥିଲେ। କିନ୍ତୁ ଭିମ୍ସାରରେ ଡାକ୍ତରଙ୍କ ଏଭଳି ଚିକିତ୍ସା ପରେ ପରିବାର ଲୋକେ ଆଉ ସରକାରୀ ଡାକ୍ତରଖାନାକୁ ଯାଇ ଚିକିତ୍ସା କରିବାକୁ ସାହସ ଜୁଟାଇ ପାରିନଥିଲେ। ତେଣୁ ସେମାନେ ଭୁବନେଶ୍ବରସ୍ଥିତ କଳିଙ୍ଗ ଡାକ୍ତରଖାନାକୁ ନେଇ ଯୁବତୀଙ୍କ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ଭିମ୍ସାର କର୍ତ୍ତୃପକ୍ଷଙ୍କ ଦ୍ବାରା ଗଠିତ ରେଫରାଲ କମିଟିର ବୈଠକ ବସି ପରିବାର ଲୋକଙ୍କ ଏହି ଦାବିକୁ ସ୍ବୀକାର କରାଯିବା ପରେ କୌଣସି ବି ସରକାରୀ କିମ୍ବା ଘରୋଇ ଡାକ୍ତରଖାନାରେ ଯୁବତୀଙ୍କ ଚିକିତ୍ସା କରାଇବା ପାଇଁ ରାଜ୍ୟ ସରକାରଙ୍କ ଓଏସ୍ଟିଏଫ୍ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିବାକୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି। ଅପରପକ୍ଷେ, ଯୁବତୀଙ୍କ ପଲ୍ସ ରେଟ୍ ଓ ରକ୍ତଚାପ ନିୟମିତ ଭାବେ କମିଚାଲୁଥିବାରୁ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ସୋମବାର ରାତି ପ୍ରାୟ ୧୧ଟାରେ ଯୁବତୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବୁର୍ଲା ଅଞ୍ଚଳର ଏହି ଯୁବତୀ(୨୪)ଙ୍କ ଓଠର ତଳ ପାର୍ଶ୍ବରେ ବଥ ଭଳି ବାହାରି କଷ୍ଟ ହେଉଥିଲା। ସେ ବୁର୍ଲା ଡାକ୍ତରଖାନା ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ କହିବାନୁସାରେ ପ୍ରଥମେ ଏଫ୍ଏନ୍ଏସି ପରୀକ୍ଷା କରାଇଥିଲେ। ସେହିଦିନ ହିଁ ରିପୋର୍ଟ ଆସିବା ପରେ ତାହା ହେମାଞ୍ଜିଓମା ବୋଲି ଜଣାପଡ଼ିଥିଲା। ଦିନ ସାଢ଼େ ୩ଟା ସମୟରେ ଇଏନ୍ଟି ବିଭାଗ ଓପିଡିରେ ଯାଇ ଡା.ଇପ୍ସିତା ପଣ୍ଡା ଓ ଡା. ସୁଜାତା ପଣ୍ଡାଙ୍କୁ ଦେଖାଇଥିଲେ। ଡା.ସୁଜାତା ପଣ୍ଡା ଯୁବତୀଙ୍କ ଓଠରେ ଏକ ଇଞ୍ଜେକ୍ସନ ଦେବାକୁ କହିଥିଲେ। କିନ୍ତୁ ଇଞ୍ଜେକ୍ସନ ଦେବାର ଅଳ୍ପ ସମୟ ମଧ୍ୟରେ ଯୁବତୀଙ୍କ ମୁହଁର ରଙ୍ଗ କଳା ପଡ଼ିଯାଇଥିଲା। ତାଙ୍କୁ ସେହି ସନ୍ଧ୍ୟାରେ ହିଁ ଇଏନ୍ଟି ଅନ୍ତର୍ବିଭାଗରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ମୁହଁ ଧୀରେଧୀରେ ପଚିବାକୁ ଆରମ୍ଭ କରିଥିଲା।