ବଡ଼କୁଳ ରେଳଲାଇନ୍‌ ଉପରେ ଅଧା ବଗି ଛାଡ଼ି ଦୁଇ କିଲୋମିଟର୍‌ ଚାଲିଗଲା ବିଶାଖା ଏକ୍ସ୍‍ପ୍ରେସ୍‌

ବାଲୁଗାଁ: ଶନିବାର ପୂର୍ବାହ୍ନରେ ବାଲୁଗାଁ ଷ୍ଟେସନ୍‌ ନିକଟବର୍ତ୍ତୀ ବଡ଼କୁଳ ରେଳଲାଇନ୍‌ରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସ୍‍ପ୍ରେସ୍‌ ମଝିରୁ ଦୁଇ ଭାଗ ହୋଇ ଅଧା ବଗି ଛାଡ଼ି ଦୁଇ କିଲୋମିଟର୍‌ ଆଗକୁ ଗଡ଼ିଯାଇଥିଲା।

ଯାତ୍ରୀ ଓ ପଛରେ ଥିବା ଗାର୍ଡଙ୍କ ଠାରୁ ସୂଚନା ପାଇବା ପରେ ବାଲୁଗାଁ ଷ୍ଟେସନ୍‌ ରେଳ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ପୁଣି ବଗିଗୁଡ଼ିକ ଇଞ୍ଜିନ୍‌ ସହ ସଂଯୋଗ କରାଯାଇଥିଲା।

ଆଜି ସାକଳ ୯: ୫୦ରେ ବିଶାଖା ଏକ୍ସ୍‍ପ୍ରେସ୍‌ ବାଲୁଗାଁ ଷ୍ଟେସନ୍‌ରେ ପହଞ୍ଚି ସେଠାରୁ ୯: ୫୦ରେ ଛାଡ଼ିଥିଲା। ପ୍ରାୟ ୪ କିଲୋମିଟର ଯିବା ପରେ ବଡ଼କୁଳ ରେଳଲାଇନ୍‌ରେ ଏ. ସି. ବଗିଠାରୁ ଟ୍ରେନ୍‌ଟି ଦୁଇ ଭାଗ ହୋଇଯାଇଥିଲା ଏବଂ ଲାଗିଥିବା ଡବାଗୁଡ଼ିକୁ ଧରି ଇଞ୍ଜିନ ଘଟଣାସ୍ଥଳରୁ ପ୍ରାୟ ୨ କିଲୋମିଟର୍‌ ଚାଲି ଯାଇଥିଲା। ଟ୍ରେନ୍‌ର କେତେକ ଯାତ୍ରୀ ଓ ଗାର୍ଡ ଏ ସଂକ୍ରାନ୍ତରେ ବାଲୁଗାଁ ଷ୍ଟେସନ୍‌କୁ ସୂଚନା ଦେଇଥିଲେ। ସେଠାକାର ରେଳବାଇ କର୍ତ୍ତୃପକ୍ଷ ଡ୍ରାଇଭର୍‌ଙ୍କୁ ସୂଚନା ଦେବା ପରେ ସେ ଇଞ୍ଜିନ ପଛକୁ ଫେରଇବା ପରେ ରହି ଯାଇଥିବା ବଗିଗୁଡ଼ିକୁ ପୁଣି ସଂଯୋଗ କରାଯାଇଥିଲା ଓ ରେଳଗାଡ଼ି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

ଏ ଭଳି ଘଟଣାରେ ଅଲଗା ହୋଇ ରହିଯାଇଥିବା ବଗିଗୁଡ଼ିକରେ ଥିବା ଯାତ୍ରୀମାନେ ଅତି ଭୟଭୀତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର