ଅପହଞ୍ଚ ଇଲାକାବାସୀଙ୍କ ଶୋଷ ମେଣ୍ଟୁନି: ଶୁଖିଗଲାଣି ଶତାଧିକ ନାଳ, ଝରଣା

ଚିରସ୍ରୋତା ବଂଶଧାରା, ନାଗାବଳୀରେ ନାହିଁ ପାଣି, ଖସୁଛି ଭୂତଳ ଜଳସ୍ତର, କାମରେ ଲାଗୁନି ପ୍ରକଳ୍ପ

ରାୟଗଡ଼ା: ନିୟମଗିରି ପାହାଡ଼ରୁ ଝରି ଆସୁଥିବା ୩୬ ଝରଣାରୁ ୧୧ଟି ଶୁଖିଗଲାଣି। କାଶୀପୁରର ବଫଲାମାଳି ପର୍ବତରୁ ଅନବରତ ଝରୁଥିବା ଗୋଇମାଲ, ଫୁଲକିଣ୍ଡା, ଗିଦଗୁଡ଼ା, ଡୁମାଝରଣରେ ବି ପୂର୍ବ ଭଳି ପାଣି ନାହିଁ। ପଦ୍ମପୁରର ଲାଉଗୁଡ଼ା ପାହାଡ଼ି ଝରଣା ପଥର କୁଆଁରି ଯୋଗୁ ସ୍ଥିତି ହରାଇ ମାଟିରେ ମିଶିଲାଣି। ଖଣି ଖନନର ପ୍ରଭାବ, ମୃତ୍ତିକା କ୍ଷୟ, ରକ୍ଷଣାବେକ୍ଷଣ ଅଭାବରୁ ରାୟଗଡ଼ା ଜିଲ୍ଲାର ଶତାଧିକ ନାଳ, ଝରଣା ଶୁଷ୍କ ହୋଇ ଏବେ ଲୁପ୍ତ ପ୍ରାୟ। ଗ୍ରାମାଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇବାର ଏକ ମାତ୍ର ମାଧ୍ୟମ ନାଳ, ଝରଣା ଶୁଖିଯିବା ପରେ ପାନୀୟ ଜଳ ପାଇଁ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। କାଶୀପୁରଠୁ ଆରମ୍ଭ କରି କଲ୍ୟାଣସିଂହପୁର, କୋଲନରାଠୁ ଆରମ୍ଭ କରି ମୁନିଗୁଡ଼ା ପର୍ଯ୍ୟନ୍ତ ସବୁଠି ସମାନ୍ ସ୍ଥିତି। ପାଣି ଟୋପାଏ ପାଇଁ ଏବେ ଚିନ୍ତାରେ ଗ୍ରାମବାସୀ।

ନଦୀ, ନାଳ, ପାହାଡ଼, ପର୍ବତ ଘେରା ରାୟଗଡ଼ା ଜିଲ୍ଲାରେ ଦୁଇ ଦଶନ୍ଧି ତଳେ ପାନୀୟ ଜଳ ସମସ୍ୟା ନଥିଲା। ବଂଶଧାରା, ନାଗାବଳୀ, ଝଞ୍ଜାବତୀ, କଲ୍ୟାଣୀ ନଦୀ ସମେତ ନିୟମଗିରି, ବଫଲାମାଳି, କୋଡ଼ିଙ୍ଗ‌ାମାଳି, ଶାଶୂବୋହୂମାଳି ଭଳି ବହୁ ଛୋଟବଡ଼ ପର୍ବତର ଝରଣା ଶୋଷ ମେଣ୍ଟାଇବା ସହ ଦ୍ବିଫସଲ ଚାଷ ଜମିକୁ ଯୋଗାଉଥିଲା ପାଣି। ଏବେ କିନ୍ତୁ ସ୍ଥିତି ସଙ୍ଗିନ। ସମୟକ୍ରମେ ପାଣିର ସ୍ରୋତ କମିବା ଯୋଗୁ ଜାନୁଆରିରୁ ଜୁଲାଇ ପର୍ଯ୍ୟନ୍ତ ଲୋକେ ଡହଳ ବିକଳ ହୋଇ ଦିନ କାଟୁଛନ୍ତି। ବଂଶଧାରା ନଦୀରେ ୧୮ଟି, ନାଗାବଳୀ ନଦୀରେ ୧୩ଟି, ଝଞ୍ଜାବତୀ, କଲ୍ୟାଣୀରେ ୨୦ରୁ ଊର୍ଧ୍ବ ଛୋଟବଡ଼ ନାଳ ମିଶିଛି। ‌ହେଲେ ବର୍ଷା ଦିନକୁ ଛାଡ଼ିଲେ ଅନ୍ୟ ଦିନରେ ଏହି ସବୁ ନାଳ, ଝରଣାରେ ପାଣି ସ୍ବପ୍ନ ହୋଇ ପଡ଼ିଛି। ପଦ୍ମପୁର ବ୍ଲକ୍ ଖମାପଦର ନିକଟରେ ମିଶିଥିବା ୩ଟି ନାଳ ଯାତିଲି, ବିରିପଦର, ମଝିଆନାଳ ବର୍ଷ ତମାମ ଶୁଷ୍କ ଅବସ୍ଥାରେ ରହୁଛି। ପୂର୍ବରୁ ବର୍ଷ ତମାମ ଏହି ନାଳରେ ପାଣି ରହୁଥିଲା। କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ ବନ୍ଧପଦର ଗାଁ ମାଳିଗାଁ ପାହାଡ଼ରୁ ଝରି ଆସୁଥିବା ଝରଣା ବର୍ଷତମାମ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନି। ସେହିପରି କାଣ୍ଡବିନ୍ଧା, ବଡ଼ଝୋଲା ଝରଣା ଶିଳାଗାଁ, ରତାଚୁଆଁ ଦେଇ ଇନ୍ଦ୍ରାବତୀରେ ମିଶିଥିବା ବେଳେ ପୂର୍ବ ଭଳି ଆଉ ପାଣି ଏହି ଝରଣାରେ ଯାଉନି। କୋଡ଼ିକିପଦର ନାଳ ଓ ଝରଣା ପାଣି ବହି ଯାଇ କଲ୍ୟାଣୀ ନଦୀରେ ମିଶିଛି। କିନ୍ତୁ ଝରଣାରେ ପାଣିନଥିବାରୁ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଲ୍ୟାଣସିଂହପୁର ବ୍ଲକ୍ ପାର୍ସାଲି ପଞ୍ଚାୟତ କାଡ୍ରକାବଣ୍ଡେଲି, ମାଳନ୍ଦି ଗାଁ ଲୋକ ମଧ୍ୟ ନିୟମଗିରି ପାହାଡ଼ର ଝରଣା ଉପରେ ପାନୀୟ ଜଳ ପାଇଁ ନିର୍ଭର କରି ଆସୁଛନ୍ତି। ଝରଣା ପାଣିକୁ ପାଇପ ମାଧ୍ୟମରେ ଗାଁକୁ ଅଣାଯାଇ ଲୋକଙ୍କୁ ଯୋଗାଇବା ଲାଗି ପାର୍ସାଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରିଛି। ହେଲେ ଝରଣାରେ ଅଧା ଦିନ ପାଣି ରହୁନଥିବାରୁ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ିଛି।

ନାଗାବଳୀ, ଝଞ୍ଜାବତୀ ନଦୀ ଶୁଖିବା ପରେ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ରାୟଗଡ଼ାର ବ୍ଲକର ସୀମାନ୍ତ ଗାଁରେ ପାନୀୟ ଜଳ ସ୍ଥିତି ଉତ୍କଟ ରୂପ ଧାରଣ କରିଛି। ମାଇଲ ମାଇଲ ବାଟ ଚାଲି ଲୋକେ ପାଣି ଆଣୁଛନ୍ତି। କିନ୍ତୁ ଜଳ ଉତ୍ସ ନଥିବାରୁ ପ୍ରଶାସନ ଓ ଜଳ ଯୋଗାଣ ବିଭାଗ କିଛି ପଦକ୍ଷେପ ନେଇପାରୁନି। ଜିଲ୍ଲା ସଦର ମହକୁମାରୁ ମାତ୍ର ୧୨ କିମି ଦୂରରେ ଥିବା କୋଲନରା ବ୍ଲକରେ ମଧ୍ୟ ପାନୀୟ ଜଳ ସ୍ଥିତି ସଙ୍ଗୀନ୍। କୋଲନରା ପଞ୍ଚାୟତ ଅଧୀନରେ ଥିବା ଦୁମୁକୁପାଡ଼ୁ ଗ୍ରାମବାସୀ ପୁରୁଷ ପୁରୁଷ ଧରି ଝରଣା ପାଣି ଦ୍ବାରା ନିଜ ଶୋଷ ମେଣ୍ଟାଇ ଆସୁଥିଲେ। ୩ ବର୍ଷ ହେଲା ଝରଣା ଶୁଖିଯିବାରୁ ଶହେରୁ ଊର୍ଧ୍ବ ଆଦିବାସୀ ପରିବାର ୪ କିମି ଦୂର ଚାଲି ଚାଲି ଆସି ଲାଲବି ଗାଁରୁ ପାଣି ନେଉଛନ୍ତି। ଗାଁରେ ବିବାହ, ଭୋଜି କାର୍ଯ୍ୟକ୍ରମ ହେଲେ ୧୫ଦିନ ପୂର୍ବରୁ ଗାଁ ଭାଇ ସଭିଏଁ ଏକାଠି ହୋଇ ପାଣି ସଂଗ୍ରହ କରି ବିବାହ ଭୋଜିକାର୍ଯ୍ୟ ତୁଲାଉଥିବା ଗ୍ରାମବାସୀ କହିଛନ୍ତି। ଗାଁକୁ ଯିବାକୁ ରାସ୍ତାନଥିବାରୁ ୫ଲକ୍ଷ ଟଙ୍କା ବ୍ୟୟରେ ଲାଲବିରେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ପାଇପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଥିବା କୋଲନରା ବିଡିଓ ତାପସ କୁମାର ଭୋଇ କହିଛନ୍ତି। ଗ୍ରାମାଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ବ୍ଲକରେ ଶତାଧିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ହେଲେ ଭୂତଳ ଜଳସ୍ତର କମିବାରେ ଲାଗିଥିବାରୁ ଆବଶ୍ୟକ ଅନୁଯାୟୀ ପ୍ରକଳ୍ପ ପାଣି ଯୋଗାଇ ପାରୁନି। ଯେଉଁଥି ପାଇଁ ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସ୍ଥିତି ଉତ୍କଟ ରୂପ ଧାରଣ କରିଛି।

ସମ୍ବନ୍ଧିତ ଖବର