୧୫ରୁ ବର୍ଷା ଛାଡ଼ିବ, ୧୮ରୁ ପୁଣି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତନ ଆସିବ। ବର୍ଷା କମିବ। ଦିନର ତାପମାତ୍ରା ବଢ଼ିବ। ତେବେ ୧୮ ତାରିଖଠାରୁ ପୁଣିଥରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୧୫ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ। ୧୬ ଓ ୧୭ ତାରିଖରେ କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୧୮ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା ପୁଣି ବଢ଼ିବ ବୋଲି ଆକଳନ କରାଯାଇଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୨୭.୬ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୨୩, ଫୁଲବାଣୀରେ ୧୧.୬, କଟକରେ ୬.୪, ବାଲେଶ୍ବରରେ ୩.୬, ବାରିପଦାରେ ୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ଇତିମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଭବାନୀପାଟଣାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ୩୬.୨, ବଲାଙ୍ଗୀର ଓ ନୟାଗଡ଼ରେ ୩୬, ମାଲକାନଗିରିରେ ୩୫.୮, ବୌଦ୍ଧରେ ୩୫.୫, ଭୁବନେଶ୍ବରରେ ୩୫.୪ ଡିଗ୍ରି ରେକର୍ଡ ହୋଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୧୪ ଓ ୧୫ ତାରିଖରେ ରାଜ୍ୟରେ ମେଘୁଆ ପାଗ ସହ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁରରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ୧୮ ତାରିଖ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ। ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରିରେ ପହଞ୍ଚିପାରେ। ସେହିଦିନ ଅପରାହ୍ନରେ ଖୋର୍ଧା, ଢେଙ୍କାନା‌ଳ, ଅନୁଗୁଳରେ କୁଆପଥର ବର୍ଷା ‌ହେବାର ସମ୍ଭାବନା ରହିଛି। ଏହାପରେ ବର୍ଷା ହେତୁ ତାପମାତ୍ରା ପୁଣି କମିବ। ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ସବୁଠାରୁ କମ୍‌ ତାପମାତ୍ରା ରହିବ। ଖୋର୍ଧା, ଢେଙ୍କାନାଳ, ଅନୁଗୁଳ ଓ ସୋନପୁରରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ।

‌ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ମାର୍ଚ୍ଚ ମାସର ଏହି ସମୟରେ ଓଡ଼ିଶାରେ ଗରମ ବଢ଼ିଥାଏ। ତେବେ ଚଳିତବର୍ଷ ଏପର୍ଯ୍ୟନ୍ତ ସେଭଳି ଗରମ ଦେଖାଯାଇ ନାହିଁ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା ବଢ଼ିବ ନାହିଁ। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି କମ୍‌ ରହୁଛି। ଗୁରୁଚାପ ବଳୟ ସୃଷ୍ଟି ହେଉଛି। ପବନର ଦିଗ ମଧ୍ୟ ବାରମ୍ବାର ପରିବର୍ତନ ହେଉଛି। କେତେବେଳେ ଉତ୍ତର ଦିଗରୁ ପବନ ହେଉଛି ତ ଆଉ କେତେବେଳେ ବଙ୍ଗୋପସାଗରୀୟ ପବନ ଓଡ଼ିଶା ସମେତ ଉତ୍ତର ଭାରତକୁ ପ୍ରବାହିତ ହେଉଛି। ଜଳୀୟ ଅଂଶ ବେଶି ରହୁଥିବାରୁ ଘନୀଭୂତ ହୋଇ ମେଘ ସୃଷ୍ଟି ହେଉଛି। ତେଣୁ ବର୍ଷା ଲାଗିରହୁଛି।

ସମ୍ବନ୍ଧିତ ଖବର