ଭଞ୍ଜନଗର ବନ ବିହାର, ନେଚର୍ କ୍ୟାମ୍ପ୍ ଖୋଲିବାକୁ ଅନୁମତି କେବେ? 

ନିରାଶରେ ଫେରୁଛନ୍ତି ପର୍ଯ୍ୟଟକ, ବୁକିଂ ବନ୍ଦ ଯୋଗୁଁ ରାଜସ୍ବ କ୍ଷତି

ଭଞ୍ଜନଗର : କରୋନା ସଂକ୍ରମଣ ହ୍ରାସ ପରେ ସରକାର ବିଭିନ୍ନ କଟକଣାକୁ କୋହଳ କରିଛନ୍ତି। ଗାଇଡଲାଇନ୍ ତଥା ମାର୍ଗଦର୍ଶିକା ଜାରି ପୂର୍ବକ ପାର୍କ ଓ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଭଞ୍ଜନଗରରେ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ‘ନେଚର୍ କ୍ୟାମ୍ପ୍’ (ପ୍ରକୃତି ଶିବିର) ଖୋଲିବାକୁ ଏଯାଏ ଅନୁମତି ମିଳି ପାରୁ ନଥିବାରୁ ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରୁଛନ୍ତି। ବିଶେଷ କରି ଶୀତ ଋତୁରେ ମଜା ଉଠାଇବା ପାଇଁ ବାହାର ଅଞ୍ଚଳରୁ ପର୍ଯ୍ୟଟକ ମାନେ ନଜାଣି ପହଞ୍ଚିବା ପରେ ଆଖପାଖ ଇଲାକାରେ ଭୋଜି କରି ଫେରୁଛନ୍ତି। ମନ୍ଦିର ଓ ପାର୍କ ସମେତ ବିଭିନ୍ନ ସ୍ଥାନ ଭଳି ବନ ବିହାର ଖୋଲିବା ଦିଗରେ ଅନୁମତି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ସହର ଉପକଣ୍ଠ ଫୁଲବାଣୀ ରାସ୍ତାର ନିକଟ ବନ ବିହାର ପରିସରରେ ଥିବା ‘ଡ୍ୟାମ୍‌ ସାଇଟ୍‌ ଟିମ୍ବର ହ‌ାଉସ’ ଓ ବ୍ରହ୍ମପୁର ରାସ୍ତାର ଶାଳୁଆପଲ୍ଲୀ ଠାରେ ‘ବ୍ଳାକ୍‌ବକ୍‌ ଟିମ୍ବର ହାଉସ୍‌’ରେ ଅତ୍ୟାଧୁନିକ ଭିତ୍ତିଭୂମି ସହ ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଥିସହ କାଳିଆମ୍ବା ଜଙ୍ଗଲ ଭିତରେ ‘ଜିଆଣ୍ଟ୍‌ ସ୍କ୍ବାରେଲ୍‌’ନେଚର୍‌ କ୍ୟାମ୍ପ୍‌କୁ ପ୍ରତିବର୍ଷ ଶତାଧିକ ପର୍ଯ୍ୟଟକ ଆସି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରୁଛନ୍ତି। ଉଡ଼୍ ହାଉସ୍‌ରେ ରହିବାକୁ ଅନଲାଇନ୍‌‌ରେ ବୁକିଂ ହେଉଛି। ‘ବନ ବିହାର’ ବୁଲିବା ପାଇଁ ୫ ଟଙ୍କା ଟିକଟ ଧାର୍ଯ୍ୟ କରାଯାଇଛି। ନେଚର୍ କ୍ୟାମ୍ପ୍‌ରେ  ସୁନ୍ଦର ଲନ୍‌, ଦୋଳି, ତମ୍ବୁଘର, ଫାଉଣ୍ଟେନ୍‌ ଓ ସୁନ୍ଦର ଆଲୋକ ସଜ୍ଜା ଆଦି ନିର୍ମାଣ କରାଯାଇଛି। କିନ୍ତୁ କରୋନା ମହାମାରୀ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ବୁକିଂ ବନ୍ଦ ରହିଥିବାରୁ ବହୁ ରାଜସ୍ବ କ୍ଷତି ସହିବାକୁ ପଡୁଛି।
ଶାଳୁଆପଲ୍ଲୀ ନେଚର୍ କ୍ୟାମ୍ପ୍ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ୧୩ ଟି ବୁକିଂ ହୋଇଥିବା ବେଳେ ୨୦୧୭-୧୮ରେ ୨୩  ଗୋଟି, ୨୦୧୮-୧୯ରେ ୩୯ ଏବଂ ୨୦୧୯-୨୦ରେ ୨୧ଟି ବୁକିଂ ହୋଇଥିଲା। ସେହିପରି ବନ ବିହାର ନେଚର୍ କ୍ୟାମ୍ପ୍ ୨୦୧୭ରୁ ଆରମ୍ଭ ହୋଇଥିବା ବେଳେ ୨୦୧୭-୧୮ରେ ୬୩ଟି ବୁକିଂ, ୨୦୧୮-୧୯ରେ ୪୩ ଏବଂ ୨୦୧୯-୨୦ରେ ୨୩ ଟି ବୁକିଂ ହୋଇଛି। ଏଥିସହ ନିଘଞ୍ଚ ଜଙ୍ଗଲ ଭିତରେ ଥିବା କାଳିଆମ୍ବା ନେଚର କ୍ୟାମ୍ପରେ ଟ୍ରି ହାଉସ୍‌ ସହ ଏଠାରେ ଥିବା ଉଡ଼ନ୍ତା ପାଟ ମୂଷାକୁ ଦେଖିବା ପାଇଁ ପର୍ଯ୍ୟଟକ ଆସିଥାନ୍ତି। ଏଠାକୁ ୨୦୧୭-୧୮ରେ ୩୪ ଗୋଟି ବୁକିଂ ହୋଇଥିବା ବେଳେ ୨୦୧୮-୧୯ରେ ୮୨ଟି ଏବଂ ୨୦୧୯-୨୦ରେ ୧୯ ଗୋଟି ବୁକିଂ ହୋଇଥିଲା।
ସେହିପରି ସହର ଉପକଣ୍ଠରେ ଜଙ୍ଗଲ ପରିବେଶର ମଜା ନେବା ପାଇଁ ଫୁଲବାଣୀ ରୋଡ ଶ୍ରୀ ବିହାର ନିକଟ ବନ ବିହାରକୁ ମଧ୍ୟ ବହୁ ପର୍ଯ୍ୟଟକ ଆସିଛନ୍ତି। ରସଲକୋଣ୍ଡା ଜଳଭଣ୍ଡାରକୁ ଲାଗି ରହିଥିବା ଏହି ବନ ବିହାରକୁ ଶୀତଦିନେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।। ଏହାକୁ ବନ ବିଭାଗ ପକ୍ଷରୁ ୨୦୧୫ ମସିହାରୁ ଆରମ୍ଭ କରାଯାଇଥିବା  ବେଳେ ୨୦୧୫-୧୬ରେ ୭୧୪୦ ଜଣ ପର୍ଯ୍ୟଟକ, ୨୦୧୬-୧୭ ରେ ୩୧,୮୭୫ ଜଣ, ୨୦୧୭-୧୮ରେ ୩୭,୫୩୪ ଜଣ, ୨୦୧୮-୧୯ରେ ୩୬,୬୭୬ ଜଣ ଏବଂ ୨୦୧୯-୨୦ରେ ୩୬,୭୪୫ ଜଣ ପର୍ଯ୍ୟଁଟକ ଆସିଛନ୍ତି।
ବର୍ତ୍ତମାନ ନେଚର୍ କ୍ୟାମ୍ପ୍ ଓ ବନ ବିହାର ବନ୍ଦ ହୋଇଥିବାରୁ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ହେଉଛି। ହେଲେ ଏହାକୁ ଖୋଲିବା ଦିଗରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନି। କାର୍ଯ୍ୟରତ କର୍ମଚାରୀ ମାନ‌ଙ୍କୁ ଦରମା ଦିଅଯାଉଥିବା ବେଳେ ବିନା ପର୍ଯ୍ୟଟକରେ କେବଳ ରକ୍ଷଣାବେକ୍ଷଣ ଚାଲିଛି। ବନ ବିହାର ବାହାରେ ଉଠା ଦୋକାନ କରି ବ୍ୟବସାୟ କରୁଥିବା ବେପାରୀଙ୍କ ବି କ୍ଷତି ହେଉଛି।
ସମ୍ବନ୍ଧିତ ଖବର