ସ୍ୱାମୀଙ୍କ ସନ୍ଦେହ ନେଲା ପ୍ରସୂତିଙ୍କ ଜୀବନ! ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ଚାଲିଗଲା

କଳାବାଡ଼ିଆ: ସାତ ଜନ୍ମକୁ ସାଥୀ ହେବା ପାଇଁ ସ୍ୱାମୀର ହାତ ଧରିଥିଲେ। ହେଲେ ଜୀବନ ଯନ୍ତ୍ରଣା ବେଳେ ମୁହଁକୁ ଚାହିଁଲାନି ସନ୍ଦେହୀ ସ୍ୱାମୀ। ଗୋଟିଏ ଘର ଭିତରେ ଥାଇ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ପତ୍ନୀର ପ୍ରାଣ ଚାଲିଯାଇଥିଲେ ମଧ୍ୟ ତାଙ୍କୁ ହସ୍ପିଟାଲ ନେବା ପାଇଁ ସ୍ୱାମୀ କିମ୍ବା ପରିବାର ସଦସ୍ୟ କେହି ନ’ଆସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ, ଶାଶୂ ଓ ଶ୍ୱଶୁରକୁ ଗିରଫ କରିଛି। ବାଙ୍ଗିରିପୋଷି ଥାନା ଅଧୀନ ମଣଦା ଗାଁର ରାଜେସ ସେଠୀ(୩୫) ବଣକାଟି ପଞ୍ଚାୟତ ଗୋଷାଣିପାଳର ଅନିମାଙ୍କୁ ବିବାହ କରିଥିଲେ। ବିବାହ ପରବର୍ତ୍ତୀ ସମୟରେ ଉଭୟଙ୍କର ଦୁଇଟି ସନ୍ତାନ ଜନ୍ମ ନେବାସହ ଅନିମା ପୁଣି ଥରେ ୯ ମାସର ଗର୍ଭବତୀ ଥିଲେ। ତେବେ ଇତି ମଧ୍ୟରେ ପରକୀୟା ପ୍ରୀତିକୁ ନେଇ ପତି-ପତ୍ନୀ ଉଭୟ ଉଭୟଙ୍କୁ ସନ୍ଦେହ କରୁଥିଲେ। ଏହାକୁ ନେଇ ଅନେକ ସମୟରେ ପରିବାରରେ କଳିଝଗଡ଼ା ହେଉଥିଲା। ତେବେ ଗତକାଲି ରତିରେ ଅନିମା ଖାଇ ସାରି ନିଜର ଚାରି ବର୍ଷର ପୁଅ ଓ ଛୋଟ ଝିଅ ଗୋଟିଏ କୋଠରିରେ କବାଟ ବନ୍ଦ କରି ଶୋଇଥିଲେ। ଆସନ୍ନ ପ୍ରସବା ଥିବା ଅନିମାଙ୍କର ରାତିରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତେବେ ପରିବରର କେହି ବି ଅନିମାଙ୍କ ଚିତ୍କାର ଶୁଣି ତାଙ୍କ ପାଖକୁ ଆସି ନଥିବା ଅଭିଯୋଗ ହୋଇଛି। ଅତ୍ୟଧିକ ରକ୍ତସ୍ରାବ ହେବାସହ ମୁର୍ମୂଷୁ ଅବସ୍ଥାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ମଧ୍ୟ ପରିବାର ଲୋକେ ଘଟଣା ସମ୍ପର୍କରେ ଅବଗତ ନଥିବା କହିଥିଲେ।

ଆଜି ସକାଳେ ଖବର ପ୍ରଘଟ ହେବାପରେ ଅନିମାଙ୍କ ବାପ ଘର ଲୋକ ପହଞ୍ଚି କବାଟ ଭାଙ୍ଗି ମାଆ ଓ ନବଜାତ ଶିଶୁ କନ୍ୟାଟି ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଅନିମାଙ୍କୁ ଡାକ୍ତରଖାନା ନେବା ପାଇଁ ସଙ୍ଗେସଙ୍ଗେ ଆଶାକର୍ମୀ ଏବଂ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ନ’ଆସିବାରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ଏକ ଟେମ୍ପୋ ଯୋଗେ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମା’ର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ। ମୁମୂର୍ଷୁ ଅବସ୍ଥାରେ ଥିବା ଶୁଶୁଟିର ପ୍ରାଥମିକ ଚିକିତ୍ସା ପରେ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। ପରେ ତାଙ୍କ ଭଉଣୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା ଏବଂ ସ୍ୱାମୀ ରାଜେଶଙ୍କ ସନ୍ଦେହ ପାଇଁ ଭଉଣୀର ଜୀବନ ଗଲା ବୋଲି ଅନିମାଙ୍କ ଭାଇ ମନିଷ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିାଊ। ଥାନା ଅଧିକାରୀ ମିନତି ବିଶ୍ୱାଳ କେସ୍‌ ନଂ ୬୮/୧୮ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ରାଜେଶ ଓ ଶ୍ୱଶୁର ବିଜୟ କୁମାର ସେଠି, ଶାଶୂ ରୁପେଶ୍ୱରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏଥିସହ ଅନିମାଙ୍କ ୪ ବର୍ଷୀୟ ପୁଅ ଓ ମଝିଆ ଝିଅକୁ ମଧ୍ୟ ଜେଲ୍‌ରେ ରଖାଯାଇଛି। ପୁଲିସ ଶବ ଜବତ୍‌ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର