ଝରିଗାଁ: ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ତେଲଗାଁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବିବାହିତା ମହିଳା ଆଜି ସକାଳୁ ଗ୍ରାମ ନିକଟସ୍ଥ ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ସେଠାରେ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଯାଇଛି।
ସୂଚନା ଅନୁଯାୟୀ ତେଲଗାଁ ଗ୍ରାମର ସନପଥ ଗଣ୍ଡଙ୍କ ସ୍ତ୍ରୀ କମଳା ଗଣ୍ଡ (୩୫) ଆଜି ସକାଳ ସାତଟା ବେଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତା ହେତୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। କିଛି ସମୟ ପରେ ମଧ୍ୟ କମଳା ପାଣିରୁ ନ ବାହାରିବାରୁ ପୋଖରୀରେ ଗାଧୋଉଥିବା ଅନ୍ୟ ଲୋକମାନେ କମଳାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ତେବେ କମଳାଙ୍କୁ ପୋଖରୀରୁ ବାହାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାକୁ ନେଇ ପରିବାର ତରଫରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି। ତେବେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସନପଥ ନିଜର ଛୋଟ ଛୋଟ ତିନି ଛୁଆମାନଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର