ଅଟୋରେ ମହିଳାଙ୍କ ସନ୍ତାନ ପ୍ରସବ ଘଟଣା: ଫାର୍ମାସିଷ୍ଟ, ଷ୍ଟାଫ୍‌ ନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ବଦଳି ସୁପାରିସ

କଟକ: ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଦିନ ତଳେ ଘଟଥିବା ଅଭାବନୀୟ ଘଟଣାର ତଦନ୍ତ କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦାଖଲ କରିଛନ୍ତି କଟକ ସିଡିଏମ୍‌ଓ ଡାକ୍ତର ବିଭୂତି ଭୂଷଣ ନାୟକ। ତଦନ୍ତ ପରେ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ, ଷ୍ଟାଫ୍‌ ନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ବଦଳି କରିବା ପାଇଁ ସିଡିଏମ୍‌ଓ ସୁପାରିସ କରିଥିବା ଜଣାପଡିଛି। ଛୁଟିଥିବାରୁ ଆସନ୍ତାକାଲି ସେମାନଙ୍କ ବଦଳି ଆଦେଶ ବାହାରିବ ବୋଲି ସୂଚନା ମିଳିଛି। ତେବେ ଡାକ୍ତର ଛୁଟିରେ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡିଥିବାବେଳେ ଅଟୋରେ ମହିଳା ସନ୍ତାନ ପ୍ରସବ କରିବା ଘଟଣା ଓ ଚିକିତ୍ସାରେ ଅବହେଳା କାରଣରୁ ନବଜାତକର ମୃତ୍ୟୁ ଘଟିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସଂପର୍କରେ ଖବର ପାଇ ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଘଟଣାସ୍ଥଳରେ ପହଂଚି ଏ ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣାଇଥିଲେ। ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ସିଡିଏମ୍‌ଓ ଘଟଣାର ତଦନ୍ତ କରିବା ପାଇଁ ଯାଇଥିବାବେଳେ ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା, ଅବ୍ୟବସ୍ଥା ସମ୍ପର୍କରେ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଘଟଣା ଦିନ ଡାକ୍ତର ଛୁଟିରେ ଥିବାବେଳେ ଷ୍ଟାଫ୍‌ ନର୍ସ ଓ ଆଟେଣ୍ଡାଣ୍ଟ ଅନୁପସ୍ଥିତ ଥିବା ସିଡିଏମ୍‌ଓଙ୍କ ତଦନ୍ତରୁ ଜଣାପଡିଥିଲା।

ସମ୍ବନ୍ଧିତ ଖବର