ଅତିଥି ତାଲିକା ଚୂଡ଼ାନ୍ତ : ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ, ଶାହାରୁଖ୍ ଖାନ୍

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ହକି ପୁରୁଷ ବିଶ୍ବକପ୍‌ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସାରା ରାଜଧାନୀ ନୂଆ ରୂପ ପାଇଛି। ବିଭିନ୍ନ ଦେଶର ଟିମ୍ ସହରରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ନଭେମ୍ବର ୨୭ ତାରିଖ ଉଦ୍‌ଘାଟନୀ ଉତ୍ସବ ଓ ଡିସେମ୍ବର ୧୬ ତାରିଖ ଉଦ୍‌ଯାପନୀ ଉତ୍ସବରେ ଅତିଥି ତାଲିକା ଚୂଡ଼ାନ୍ତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍, ଆନ୍ତର୍ଜାତିକ ହକି ଫେଡେରେସନ୍‌ର ସଭାପତି ନରେନ୍ଦର ବାତ୍ରା ଓ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉପସ୍ଥିତ ରହିବେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଅତିଥି ଭାବେ ଯୋଗ ଦେବେ। ଉଭୟ କେନ୍ଦ୍ର ମନ୍ତ୍ରୀ ଏ ନେଇ ସମ୍ମତି ଦେଇଥିବା ଜଣାପଡ଼ିଛି। ଏହା ବାଦ୍ ପ୍ରତି ମ୍ୟାଚ୍ ଶେଷରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ପୁରସ୍କାର ଦେବା ପାଇଁ ଗଣମାଧ୍ୟମ ସମ୍ପାଦକ, କ୍ରୀଡ଼ା ଭିତ୍ତିଭୂମି ପାଇଁ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା କମ୍ପାନିର ମୁଖ୍ୟ ଏବଂ ପଦ୍ମ ପୁରସ୍କାରପ୍ରାପ୍ତ କିଛି ବିଶିଷ୍ଟ ଓଡ଼ିଆଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯିବ। ଏହି କ୍ରୀଡ଼ା ମହାକୁମ୍ଭରେ ଅତିଥି ଭାବେ ଯୋଗ ଦେବା ପାଇଁ କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ତାଙ୍କ କାର୍ଯ୍ୟକ୍ରମ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନାହିଁ।

ଏହା ମଧ୍ୟରେ ଚାରିଟି ଦେଶର ଟିମ୍ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି। ଅନ୍ୟ ୧୨ଟି ଟିମ୍ ରବିବାର ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବାର ଯୋଜନା ରହିଛି। ଖେଳାଳିମାନଙ୍କୁ ସହରର ବିଭିନ୍ନ ତାରକା ହୋଟେଲ୍‌ରେ ରହିବାର ବନ୍ଦୋବସ୍ତ କରାଯାଇଛି। ୨୭ ତାରିଖ ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ଦୁଇ ବିଶିଷ୍ଟ କଳାକାର ଶାହାରୁଖ୍ ଖାନ୍ ଓ ମାଧୁରୀ ଦୀକ୍ଷିତ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ୍ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶାହାରୁଖ୍ ସ୍ବତନ୍ତ୍ର ବିମାନ ଯୋଗେ ୨୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ଓ ଉଦ୍‌ଘାଟନୀ ଉତ୍ସବ ଶେଷ ହେଲା ପରେ ସେହି ରାତିରେ ମୁମ୍ବାଇ ଫେରିଯିବେ। ଉଦ୍‌ଘାଟନୀ ଉତ୍ସବରେ ସେ ଅତିଥି ଥିବାରୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ନାହିଁ। ମାଧୁରୀ ଦୀକ୍ଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବେ ଓ ସେହି ରାତିରେ ହୋଟେଲ୍ ମେ’ ଫେୟାରରେ ତାଙ୍କର ରହିବାର ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର