ବେଆଇନ ହମ୍ପସ ନେଇଗଲା ଜୀବନ: ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର-ବରୁଆଁ ୨୦ନଂ ଜାତୀୟ ରାଜପଥ ଗୋଖନା ଛକ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମାନସ ବେହେରା(୨୮)। ବେଆଇନ୍‌ ହମ୍ପସ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଏକ ବାଇକ(ଓଡି-୦୪-୭୩୭୯) ଯୋଗେ ଜଣେ ଯୁବକ ଯାଜପୁରଟାଉନରୁ ବରୁହାଁ ଅଭିମୁଖେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ(ଓଡି-୦୫-ବିଆର-୦୩୨୬) ବାଇକକୁ ଧକ୍କା ଦେଇଥିଲା। ତେବେ ସେଠ‌ାରେ ଏକ ବେଆଇନ ହମ୍ପସ ନିର୍ମାଣ କରାଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ ଓ ସରପଞ୍ଚ ଅଭିଯୋଗ ଉଠାଇଛନ୍ତି। ଯାହାକି ଉତ୍ତ୍ୟକ୍ତ ଲୋକେ ହୋହାଲ୍ଲା କରିବା ସହ କିଏ ଓ କାହିଁକି ଜାତୀୟ ରାଜପଥ ଉପରେ ବେଆଇନ ହମ୍ପସ ନିର୍ମାଣ କରିଛି ତାହାର ତଦନ୍ତ କରିବାକୁ ଦାବି କରିଥିଲେ। ଗାଡ଼ିଟି ଧକ୍କା ଦେଇ ଯୁବକକୁ କିଛି ବାଟ ଘୋଷାରି ନେଇଥିଲା। ସ୍ଥାନୀୟ ଲୋକେ ଗାଡ଼ିର ପିଛା କରିଥିଲେ ମଧ୍ୟ ଗାଡ଼ିଟି ଦ୍ରୁତଗତିରେ ପଳାଇଥିବା ବେଳେ ଗାଡ଼ିଟି କଚେରୀ ଗାଁ ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲେ। ତେଲ ଟାଙ୍କି କ୍ୟାମେରାରେ ଦୁର୍ଘଟଣାର ପୁରା ଚିତ୍ର ରହିଛି। ମୃତ ଯୁବକ କୁଆଖିଆ ଥାନା ନରସିଂହପୁର ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ମାନସ ବେହେରା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଯାଜପୁର ଟାଉନ ଥାନା ଘଟଣା ସ୍ଥଳରେ ପହଞ୍ଚି ଯୁବକର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର