ବିଲରୁ ଘରକୁ ଫେରୁଥିଲେ ଯୁବ ଚାଷୀ, ବଜ୍ରପାତରେ ମୃତ୍ୟୁ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବାସିପିଠା ପଞ୍ଚାୟତ ତାଳକୁଣ୍ଡା ଗ୍ରାମରେ ବଜ୍ରପାତ ଘଟି ଜଣେ ୨୬ ବର୍ଷୀୟ ଯୁବ ଚାଷୀଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ ତାଳକୁଣ୍ଡା ଗ୍ରାମର ନରେନ ମହାନ୍ତଙ୍କ ପୁଅ ଜୟଦେବ
ଆଜି ଅପରାହ୍ନରେ ଗ୍ରାମ ନିକଟସ୍ଥ ନିଜ ଚାଷ ଜମିରେ ନିୟୋଜିତ ଥିଲେ। ତେବେ ଅପରାହ୍ନ ପ୍ରାୟ ୪ଟା ସମୟରେ ବର୍ଷା ସହିତ ବଜ୍ରପାତ ଦେଖି ଜୟଦେବ ଏକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରଘାତର ଶିକାର ହୋଇ ଚେତାଶୂନ୍ୟ ହୋଇ ରାସ୍ତା ଉପରେ ପଡ଼ି ଯାଇଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ରାସ୍ତା ପାର୍ଶ୍ୱ ଜମିରେ କାର୍ଯ୍ୟ କରୁଥିବା ଅନ୍ୟ ଚାଷୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡ଼ୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଜୟଦେବଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ବାରିପଦାକୁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ଶୁକ୍ରବାର ଅନୁରୁପ ଭାବେ ବାସିପିଠା ପଞ୍ଚାୟତର କମଳି ଗ୍ରାମରେ ଚାଷ କାର୍ଯ୍ୟ କରୁଥିବା ଜଣେ ଚାଷୀଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ତେବେ ପ୍ରଥମ ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୂନର୍ବାର ଆଜି ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର