ବିଫଳ ପ୍ରେମିକର ଉନ୍ମତ୍ତକାଣ୍ତ : ବାପ, ଝିଅକୁ ଭୁଜାଲିରେ ଆକ୍ରମଣ

ଭଦ୍ରକ/ବନ୍ତ/ଗଣିଜାଙ୍ଗ : ଉନ୍ମତ୍ତକାଣ୍ଡ ଘଟାଇଛନ୍ତି ଜଣେ ବିଫଳ ପ୍ରେମିକ। ଜଣେ ବି.ଟେକ୍‌ ପଢ଼ୁଆ ଝିଅକୁ ଏକତରଫା ‌ପ୍ରେମ କରୁଥିଲେ ସେ। ହେଲେ, ବିବାହ କରିବାକୁ ବିଫଳ ହେବା ‌ପରେ ‘ମୋର ନୁହେଁ ତ କାହାର ନୁହେଁ’ ନୀତି ଆପଣେଇଛନ୍ତି। ଅନ୍ଧାର ରାତିରେ ନିଛାଟିଆ ଅବସ୍ଥାରେ ପାଇ ଝିଅ ଓ ତାଙ୍କ ବାପାଙ୍କୁ ଭୁଜାଲିରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ବାପ-ଝିଅ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ବନ୍ତ ଥାନା ଅନ୍ତର୍ଗତ ଦୋଳପଦୀ ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ ନମିତା(୨୪) ବରପଦା ଇଞ୍ଜିନିୟରି˚ କଲେଜରେ ବି.ଟେକ୍‌ ପଢ଼ନ୍ତି। ଭଦ୍ରକର ରାଜାରାମ୍‌ ନାୟକ ନମିତାଙ୍କୁ ଏକତରଫା ଭଲ ପାଇ ବିବାହ କରିବାକୁ ଚାହୁଁଥିଲେ। ନମିତା ଏଥିରେ ରାଜି ହୋଇ ନ ଥିଲେ। ଗତ ଶନିବାର ବାପ ଝିଅ କଟକ ଡାକ୍ତରଖାନା ଯାଇ ରାତି ପ୍ରାୟ ସାଢ଼େ ୯ଟା ସମୟରେ ଖୋର୍ଦ୍ଧାରୋଡ୍‌-ଭଦ୍ରକ ଡିଏମ୍‌ୟୁ ଟ୍ରେନ୍‌ରେ କେନ୍ଦୁଆପଦା ଷ୍ଟେସନରେ ଓହ୍ଲାଇଥିଲେ। ସେଠାରେ ରଖିଥିବା ନିଜର ସ୍କୁଟି ଯୋଗେ ବାପ ଝିଅ ଘରକୁ ଫେରୁଥିଲେ। ବାପ ଝିଅଙ୍କ ବିଷୟରେ ଟିକିନିଖି ଖବର ରାଜାରାମ ରଖୁଥିବାବେଳେ ଗତକାଲି ମଧ୍ୟ ଦି’ ଜଣଙ୍କ ସମ୍ପର୍କରେ ରାଜାରାମ ତଥ୍ୟ ସଂଗ୍ରହ କରି ଆକ୍ରମଣ କରିବାକୁ ଯୋଜନା କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦୋଳପଦୀ ଗ୍ରାମ ନିକଟସ୍ଥ ଡାଳିମ୍ବଗଢିଆ କେନାଲ ନିକଟରେ ଛପି ରହିଥିଲା। ହଠାତ୍‌ ଅନ୍ଧାର ରାତିରେ ବାପଝିଅଙ୍କୁ କେନାଲ ନିକଟରେ ଅଟକାଇବା ଥିଲେ। ଏହାପରେ ଯୁକ୍ତିତର୍କ କରିବା ସହିତ ରାଜାରାମ୍‌ ଏକ ଭୁଜାଲିରେ ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ବାପାଙ୍କର ଏ ଅବସ୍ଥା ଦେଖି ନମିତା ଡାକ ପକାଇବାରୁ ରାଜାରାମ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ରାଜାରାମ ନିଜର ବାଇକ୍‌ ଯୋଗେ ଫେରାର‌୍‌ ହୋଇଯାଇଥିଲେ। ଏହାପରେ ଲୋକମାନେ ବନ୍ତ ପୁଲିସକୁ ଫୋନ୍‌ ଯୋଗେ ଜଣାଇଥିଲେ। ଗ୍ରାମବାସୀମାନେ ଉଭୟ ବାପ ଝିଅଙ୍କୁ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଡାକ୍ତରଖାନାରେ ବାପଝିଅଙ୍କ ଠାରୁ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ। ବାପ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଆହତ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଯୋଗୁଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର