ବିନିକା : ବାହାଘର ଦିନ ବରର ଝୁଲନ୍ତା ଶବ ଉଦ୍ଧାର

ନିର୍ବନ୍ଧ ପରଦିନ ହୃଦ୍‌ଘାତରେ ବାପା ମୃତ
ବାପାଙ୍କ ମୃତ୍ୟୁର ଶୁଦ୍ଧିକ୍ରିୟା ପରେ ଆଖି ବୁଜିଥିଲେ କାକା

ଏସ୍‌. ରାମପୁର/ ବିନିକା : ବାହାଘର ପାଇଁ ସ‌ମସ୍ତେ ବେଶ୍‌ ହସଖୁସିରେ ଥିଲେ। ଆ‌ନନ୍ଦରେ ଉଛୁଳି ପଡ଼ୁଥିଲା ଘର। ହେଲେ ହଠାତ୍‌ ସବୁକିଛି ‌ଓଲଟପାଲଟ ହୋଇଗଲା‌। ବର ବେଶରେ କନ୍ୟାଘରକୁ ବାହାରିବାର କିଛି ସମୟ ପୂର୍ବରୁ ବରର ମୃତ‌ଦେହ ଛଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା। କୁହାଯାଏ ବିପଦ ଯେତେବେଳେ ଆସେ ସାଙ୍ଗରେ ଏକାଧିକ ଦୁଃଖ ନେଇ ଆସେ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁରର ମେହେର ପରିବାରରେ। ୬ ମାସ ମଧ୍ୟରେ ବାପା, ପୁଅ, କାକାଙ୍କର ଅକାଳ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।

ଘଟଣା ଏହିପରି- ରବିବାର ଥିଲା ରାମପୁର ନିବାସୀ ସ୍ବର୍ଗତ ଗିରିଜା ପ୍ରସାଦ ମେହେରଙ୍କ ମଝିଆଁ ପୁଅ ପ୍ରସନ୍ନ ମେହେର (୪୧)ଙ୍କ ବାହାଘର। କିଛି ସମୟ ପରେ ବର ବେଶରେ କନ୍ୟାଘରକୁ ଯାଇଥାନ୍ତେ। ମାତ୍ର ବିନିକା ଥାନା ଘାଟିଘଟିଏନ ମନ୍ଦିର ନିକଟ ୱେସ୍କୋ ଗ୍ରିଡ୍‌ ସମ୍ମୁଖ ଜଙ୍ଗଲରୁ ରବିବାର ସକାଳ ୬ଟାରେ ପ୍ରସନ୍ନଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଶୁଭ କାର୍ଯ୍ୟ ପାଇଁ ଆନନ୍ଦରେ ଏକତ୍ରିତ ହୋଇଥିବା ପରିବାର ଉପରେ ବଜ୍ର ପଡ଼ିଲା। ଘର କାନ୍ଦବୋବାଳିରେ ଫାଟି ପଡ଼ିଲା।

ରବିବାର ପ୍ରସନ୍ନଙ୍କ ବାହାଘର ଥିଲା। ଭୋର୍‌ରେ ପ୍ରସନ୍ନ ନିଜର ବାଇକ୍‌ ନେଇ ଘରୁ ବାହାରି ଯାଇଥିଲେ। ବହୁ ସମୟ ଯାଏ ସେ ଘରକୁ ନ ଫେରିବାରୁ ପରିବାର ଲୋକ, ବନ୍ଧୁବାନ୍ଧବ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଘାଟିଘଟିଏନ ମନ୍ଦିର ନିକଟ ୱେସ୍କୋ ଗ୍ରିଡ୍‌ ସମ୍ମୁଖ ଜଙ୍ଗଲରେ ଏକ ଶବ ଝୁଲୁଥିବା ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ପ୍ରସନ୍ନଙ୍କ ପରିଚୟ ପାଇବା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ପୁଲିସ ଶବ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଘଟଣାସ୍ଥଳରୁ ପୁଲିସ ପ୍ରସନ୍ନଙ୍କ ମୋବାଇଲ ଓ ବାଇକ୍‌ (ଓଡି ୩୧- ୪୭୬୯)କୁ ଜବତ କରିଛି। ପ୍ରାଥମିକ ତଦନ୍ତରୁ ପ୍ରସନ୍ନ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଏ ନେଇ ଏକ ମାମଲା ରୁଜୁ କରି ବିନିକା ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଗାଁ ମଶାଣି‌ରେ ଅନ୍ତ୍ୟେଷ୍ଟି ହୋଇଥିଲା। ପୁତୁରା ରବିନ ମେହେର ମୁଖାଗ୍ନି ଦେଇଥିଲେ।

ପ୍ରକାଶଥାଉ କି, ୬ ମାସ ତଳେ ପ୍ରସନ୍ନଙ୍କ ନିର୍ବନ୍ଧ ପଦ୍ମପୁର ନିବାସୀ ଦୟାନିଧି ମେହେରଙ୍କ ଝିଅ ସହ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧ ପରଦିନ ତାଙ୍କ ବାପାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଗଲା। ବାପାଙ୍କ ମୃତ୍ୟୁ ଶୁଦ୍ଧିକ୍ରିୟାର କିଛି ଦିନ ପରେ ତାଙ୍କ କକାଙ୍କ ମୃତ୍ୟୁ ହୋଇଗଲା। ତେଣୁ ବିବାହକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରସନ୍ନ ଏକ ପବ୍ଲିକ ସ୍କୁଲରେ କିଛି ବର୍ଷ ହେଲା ଶିକ୍ଷକତା କରୁଥିଲେ। ବିବାହକୁ ନେଇ ସେ ମାନସିକ ଚାପରେ ରହୁଥିବା ଶୁଣିବାକୁ ମିଳିଛି। ତେବେ, ଏହି ଅଘଟଣ ପଛର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର