ମୟୂରଭଞ୍ଜ: ପାଚିଲା ଧାନ କ୍ଷେତକୁ ଅମ୍ଫାନ୍ କାଳ: ଜିଲ୍ଲାର ୧୨ଶହ ହେକ୍ଟର ଶସ୍ୟକ୍ଷେତ୍ରରେ କଟାହୋଇନି ଧାନ

ସ୍ଥାନାନ୍ତର ହେଲେଣି ୧୨ଶହରୁ ଊର୍ଧ୍ବ ଲୋକ, ମହଜୁଦ ଅଛି ୩ଶହ କୁଇଣ୍ଟାଲ୍ ଚୁଡ଼ା, ୧୫୦ କୁଇଣ୍ଟାଲ୍ ଗୁଡ଼

ବାରିପଦା: ମାଡ଼ିଆସୁଛି ମହାବାତ୍ୟା ଅମ୍ଫାନ୍। ମୟୂରଭଞ୍ଜ ଜିଲ୍ଲା ଉପରେଏହାର ପ୍ରଭାବ ପଡ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜିଲ୍ଲାରେ ଏହାର ପ୍ରଭାବ ଧୀରେ ଧୀରେ ବାରି ହେବାରେ ଲାଗିଲାଣି। ସକାଳୁ ଜିଲ୍ଲାରେ ପାଗ କୋହଲିଆ ଥିଲା। ଆକାଶରେ କଳା ବାଦଲ ଘୋଟି ରହିଥିଲା। ଅପରାହ୍ନରୁ ହାଲ୍କା ହାଲ୍କା ବର୍ଷା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଜୋର୍ରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ଏବଂ ଗୁରୁବାର ଦିନ ଏହାର ପୂର୍ଣ୍ଣ ପ୍ରଭାବ ଜିଲ୍ଲା ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। ରବି ଚାଷୀମାନେ ଏହି କାରଣରୁ କ୍ଷତିଗ୍ରସ୍ତ ହେବା ପ୍ରାୟତଃ ନିଶ୍ଚିତ।

ଅମ୍ଫାନ୍ କ୍ଷେତରେ ଥିବା ପାଚିଲା ଧାନ ପାଇଁ କାଳ ସାଜିପାରେ। ଜିଲ୍ଲାରେ ପ୍ରାୟ ୧୨ଶହ ହେକ୍ଟରରୁ ଊର୍ଧ୍ବ ଶସ୍ୟକ୍ଷେତ୍ରରେ ଏବେବି ଧାନ କଟାହୋଇପାରିନି। କରୋନା ଜନିତ ଲକଡାଉନ୍ କାରଣରୁ ଚାଷୀଭାଇମାନେ ଅମଳ କରିବା ପାରିନାହାନ୍ତି। ସେହିପରି ବିଲରେ ଥିବା ପନିପରିବା ମଧ୍ୟ ଅମ୍ଫାନ୍ କାରଣରୁ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏନେଇ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ରବି ଋତୁରେ ଧାନ କ୍ଷେତରେ ଥିବା ଶସ୍ୟ ନକାଟିବାକୁ ପରାମର୍ଶ ଦିଆଯାଇଛି। ସେହିପରି କଟାଯାଇଥିବା ଶସ୍ୟକୁ ଘରକୁ କିମ୍ବା ନିରାପଦ ସ୍ଥାନକୁ ନେଇ ଘୋଡ଼େଇ ରଖିବାକୁ ପରାମର୍ଶ ଦିଆଯାଇଛି।

ଯେହେତୁ ଦୁଇଦିନ ଭୀଷଣ ବର୍ଷା ହେବ ତେଣୁ ବିଲର ହିଡ଼ କାଟିବାକୁ ପରାମର୍ଶ ଦିଆଯାଇଛି। ଏହା ଦ୍ବାରା ବିଲରେ ପାଣି ଜମିରହିବ ନାହିଁ। ସେହିପରି ଅମ୍ଫାନ୍ ପରେ ନଷ୍ଟ ହୋଇଥିବା ପନିପରିବା ଏବଂ ଶସ୍ୟର କ୍ଷୟକ୍ଷତିର ଆକଳନ କରି ରିଲିଫ୍ କମିଶନରଙ୍କୁ ରିପୋର୍ଟ ଦିଆଯିବବୋଲି ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ସୂଚନା ଦେଇଛନ୍ତି। ସେହିପରି ଚାଷୀମାନେ ବର୍ଷା ସମୟରେ ଘରୁ ନାବାହାରିବାକୁ ସତର୍କ କରାଯାଉଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଜିଲ୍ଲାସ୍ତରରୁ ବ୍ଲକ୍ ଏବଂ ସେଠାରୁ ସିଧାସଳଖ ଚାଷୀଙ୍କ ମୋବାଇଲ୍କୁ ଏହି ସତର୍କ ସୂଚନା ପ୍ରଦାନ କରାଯାଉଛି।

ଜିଲ୍ଲାର ପ୍ରାୟ ୬୫ହଜାର ଚାଷୀମାନଙ୍କୁ ଏହି ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡ଼ି ବିଭିନ୍ନ ସୂଚନା ପ୍ରଦାନ କରାଯାଉଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଆଜିଠାରୁ ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ସାରସକଣା, କପ୍ତିପଦା, ମୋରଡ଼ା ଆଦି ବ୍ଲକକୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରାୟ ୧୨ଶହରୁ ଊର୍ଧ୍ବ ଲୋକଙ୍କୁ ନିରାପଦ ପକ୍କା ଘରକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି। ଏଥିନିମନ୍ତେ ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍ ଘର, ବିଭିନ୍ନ ସରକାରୀ ଘରକୁ ପ୍ରସ୍ତୁତ କରି ରଖାଯାଇଛି। ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଆଦି ଯୋଗାଇଦେବାକୁ ସଂପୃକ୍ତ ବ୍ଲକ ବିଡିଓ କିମ୍ବା ମୁନିସିପାଲିଟି ଅଧିକାରୀଙ୍କୁ କୁହାଯାଇଛି।

ଜିଲ୍ଲାରେ ଆଜିସୁଦ୍ଧା ପ୍ରାୟ ୩୦୦ କୁଇଣ୍ଟାଲ୍ ଚୁଡ଼ା ଏବଂ ୧୫୦ କୁଇଣ୍ଟାଲ୍ ଗୁଡ଼ ମହଜୁଦ ଅଛି। ବ୍ଲକ୍ ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଏହା ଯୋଗାଇଦିଆଯିବବୋଲି ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣା ସୂଚନା ଦେଇଛନ୍ତି। ଯେକୌଣସି ଆପତକାଳୀନ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ବିଭିନ୍ନ ଲାଇନ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳୀ ଗୁଡ଼ିକରେ ଯେପରି ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରାଯାଏ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ଟାଙ୍କି ଆଦି ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ବିଦ୍ୟୁତ ବିଭାଗକୁ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ନେସ୍କୋ ପକ୍ଷରୁ ମଧ୍ୟ ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ଜିଲ୍ଲାରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରୁଛି। ମୋବାଇଲ୍ ସ୍ବାସ୍ଥ୍ୟସେବା ଓ ଦୁଇ ତିନି ପଞ୍ଚାୟତ ପାଇଁ ଜଣେ ଜଣେ ଡାକ୍ତରଙ୍କୁ ପ୍ରସ୍ତୁତ ରଖିବାକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି। ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଓ ୪ଟି ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇ ଅଛନ୍ତି। ୨୫ଟି ଅଗ୍ନିଶମ କେନ୍ଦ୍ରକୁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି। ଗୋଷ୍ଠୀସ୍ତରରେ ସ୍ଥାନୀୟ ବାସିନ୍ଦାଙ୍କର ମଧ୍ୟ ସହଯୋଗ ନିଆଯାଉଛି। ସ୍ଥାନାନ୍ତରଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିବାର ଯଥେଷ୍ଟ ସମ୍ଭାବନ ରହିଛି। ଫନୀ ସମୟରେ ପ୍ରାୟ ୮୪ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଫନୀ କାରଣରୁ ଜିଲ୍ଲାରେ ୪ଜଣ ପ୍ରାଣ ହରାଇଥିଲେ। ଚଳିତ ଥର କିନ୍ତୁ ଜିରୋ କାଜୁଆଲ୍ଟି ପାଇଁ ଜିଲ୍ଲାପ୍ରଶାସନ ଲକ୍ଷ୍ୟ ରଖିଛି। ମୟୂରଭଞ୍ଜବାସୀ ଫାଇଲିନ୍ ଏବଂ ଫନୀର ବିଭୀଷିକା ପରେ ଅମ୍ଫାନ୍ର ପ୍ରକୋପକୁ ସାମ୍ନା କରିବାକୁ ଯାଉଛନ୍ତି। କରୋନା ଏବଂ ଅମ୍ଫାନ୍ ଭଳି ଦୁଇ ଦୁଇଟି ପ୍ରାକୃତିକ ବିପତ୍ତିକୁ ଏକାବେଳେ ମୁକାବିଲା କରୁଛନ୍ତି ଜିଲ୍ଲାପ୍ରଶାସନ।

ସମ୍ବନ୍ଧିତ ଖବର