ବି.ଆର୍‌ ଲାଇଫ କଳିଙ୍ଗ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର, ବାହାରିଲା ୪ କେଜିର ଟ୍ୟୁମର

ଚନ୍ଦ୍ରଶେଖରପୁର: ବି.ଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ୬୦ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରୁ ୪କେଜି ଓଜନର ଏକ ଟ୍ୟୁମରକୁ ସଫଳତାର ସହ କଢ଼ା ଯାଇଛି। ଆଠଗଡ଼ର ପ୍ରତାପ ଶତପଥୀଙ୍କ ଦୁଇ ମାସ ଧରି ପେଟ ଯନ୍ତ୍ରଣା ହେଉଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଓ ଢୋକିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ ବି.ଆର୍‌ ଲାଇଫ କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଠାରୁ ଜଣାପଡ଼ିଥିଲା ଯେ ତାଙ୍କ ପେଟରେ ୩୦ ବର୍ଷ ଧରି ୪ କେଜି ଓଜନର ଫୁଟବଲ ଆକୃତିର ଟ୍ୟୁମର ରହିଛି। ଟ୍ୟୁମରଟି ପେଟରେ ଥିବା ବେଳେ ଏହା ସମ୍ମୁଖ ପେଟର ୧୦ସେମି ଦୂରତାରେ ଅବସ୍ଥିତ ଥିଲା। ଟ୍ୟୁମରଟି ତଳ ଛାତି, ଉପର ପେଟ, ହୃଦୟ, ହୃତପିଣ୍ଡ ଆବରଣକାରୀ ଝିଲ୍ଲୀ, ହୃଦୟ ସହ ସଂଯୋଗ କରୁଥିବା ମୁଖ୍ୟ ଧମନୀ, ପେଟ ସହିତ ସଂପୃକ୍ତ ଧମନୀରେ ଅତ୍ୟଧିକ ଚାପ ସୃଷ୍ଟି କରୁଥିଲା।

ଏହି ଅସ୍ତ୍ରୋପଚାର ସମ୍ପର୍କରେ ବି.ଆର ଲାଇଫ କଳିଙ୍ଗ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏ‌‌‌‌ଣ୍ଟ୍ରୋଲୋଜିଷ୍ଟ ଡ. ବୃନ୍ଦାବନ ନାହାକ କୁହନ୍ତି ହସ୍ପିଟାଲରେ ହୋଇଥିବା ଅନେକ ଜଟିଳ ଅସ୍ତ୍ରୋପଚାର ମଧ୍ୟରୁ ଏହା ଅନ୍ୟତମ। ଯେଉଁଠାରେ ରୋଗୀ କଠିନ ଟ୍ୟୁମରରେ ପୀଡ଼ିତ ଥିଲେ। ଏଭଳି ଅସ୍ତ୍ରୋପଚାର ପାଇଁ ସାଧାରଣତଃ ୭ରୁ ୮ଘଣ୍ଟା ଲାଗିଥାଏ। କିନ୍ତୁ ଆମେ ଅତ୍ୟାଧୁନିକ ସର୍ଜିକାଲ ଓ କ୍ଲିନିକାଲ ଜ୍ଞାନକୌଶଳ ପ୍ରୟୋଗ କରି ମାତ୍ର ୩ ଘଣ୍ଟା ମଧ୍ୟରେ ସମାପ୍ତ କରିବାରେ ସକ୍ଷମ ହୋଇଛୁ। ଟ୍ୟୁମର କଢ଼ାଯିବା ପରେ ଏଥିସହ ସଂଯୋଗ ହୋଇଥିବା ଅନ୍ୟ ଅଙ୍ଗଗୁଡ଼ିକ ଠିକ୍ କରିପାରିଥିଲୁ। ହସ୍ପିଟାଲର ବରିଷ୍ଠ କନସଲଟାଣ୍ଟ ଜେନେରାଲ ସର୍ଜରୀ ଡା. ପ୍ରଦୀପ ମିଶ୍ର କହିଛନ୍ତି ଯେ ଟ୍ୟୁମରର କ୍ରମାଗତ ବୃଦ୍ଧି ଶରୀରରେ ଥିବା ଅନ୍ୟ ଅଙ୍ଗଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଥିଲା। ଯଦି ଏଭଳି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଥାନ୍ତା, ତେବେ ରୋଗୀଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଓ ଖାଇବାରେ ଅନେକ ଅସୁବିଧା ଉପୁଜିଥାଆନ୍ତା। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆନେସ୍ଥେସିଆ ଟିମ୍ ଡା ଆଲୋକ ରଥ, ଡା. କରୁଣାକର ଦାସ, ଡା. ଭର୍ଗିସ ପି ଜନ, ଡା. ସିମନ୍ତା ଶର୍ମା, ଡା. ମଞ୍ଜିନ୍ଦର ଭାଟ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର