ସକାଳେ କଂଗ୍ରେସ ଛାଡ଼ିଲେ, ସଂଧ୍ୟାରେ ବିଜେଡିରେ ଯୋଗ ଦେଲେ ସୁମିତ୍ରା ଜେନା

ଭୁବନେଶ୍ବର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ସକାଳେ ଦଳରୁ  ଇସ୍ତଫା ଦେବାପରେ ସଂଧ୍ୟାରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

କଂଗ୍ରେସରେ ମହିଳାଙ୍କୁ ଟିକେଟ୍ ଦିଆଯାଉନି ବୋଲି ହାଇକମାଣ୍ଡଙ୍କୁ ଅଭିଯୋଗ କରିଥିଲେ ସୁମିତ୍ରା ।ଏପରିକି ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଟିକେଟ୍ ଦେବାକୁ ଅନଶନ କରିଥିଲେ ସୁମ୍ରିତା । ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ ବୋଲି ସୁମିତ୍ରା କହିଛନ୍ତି । ଯେଉଁଠି ମୁଁ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହିଁ ସେଠି ରହିବା ମୋ ପାଇଁ କଷ୍ଟକର ବୋଲି କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ।

ପୂର୍ବରୁ ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ସୁମିତ୍ରା ।  ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ମତେ ନିରାଶ କରିଛି । କାରଣ ୫୨ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମୁଁ ଦେଇଥିଲି । କିନ୍ତୁ ସେଥିରୁ ହାତଗଣତି କିଛି ମହିଳାଙ୍କୁ ଟିକେଟ୍ ମିଳିଛି ।

ଉପଯୁକ୍ତ ପରିମାଣରେ ମହିଳାଙ୍କୁ ଟିକେଟ୍ ନମିଳେ ତେବେ ଏହାର ପ୍ରତିବାଦ କରିବୁ ବୋଲି ପୂର୍ବରୁ ବାରମ୍ବାର ଚେତାବନୀ ଦେଇଆସୁଥିଲେ ସୁମିତ୍ରା । ହେଲେ ୪ଟି ପର୍ଯ୍ୟାୟ ପାଇଁ କଂଗ୍ରେସ ତାଲିକା ପୂର୍ଣ୍ଣାଙ୍ଗ ଘୋଷଣା ପରେ ଭଦ୍ରକ ବିଧାନସଭା ଆସନରୁ ଲଢିବାକୁ ଦାବି କରୁଥିଲେ ମଧ୍ୟ ତାଙ୍କୁ ଟିକେଟ୍ ମିଳିଲା ନାହିଁ । ତେଣୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର