ଫେସବୁକ୍‌ ଭାବୁଛି ନିଜ ପରିଚୟ ହଜିଯିବ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସର୍ବାଧିକ ବ୍ୟବହାର ହେଉଥିବା ସୋସିଆଲ୍‌ ମିଡିଆ ଫେସବୁକ୍‌ର ପରିଚୟ ହଜିିଯିବ। ଲୋକମାନେ ଏହାଠାରୁ ଦୂରେଇ ଯିବେ। ଖୋଦ୍‌ ଫେସବୁକ୍‌ ଏଭଳି ଭାବୁଛି। ନିକଟରେ ଅତୀତରେ ଘଟିଥିବା କିଛି ଘଟଣା ଯୋଗୁଁ ଫେସବୁକ୍‌ ଏଭଳି ଭାବିବାକୁ ବାଧ୍ୟ ହୋଇଛି। ଫେସ୍‌ବୁକ୍‌ ଭାବୁଛି ଯେ, ଲୋକମାନେ ହ୍ଵାଟସ୍‌ଆପ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଲେଣି। ସେମାନେ ଫେସବୁକ୍‌ ଠାରୁ ଦୂରେଇ ଯାଉଛନ୍ତି। ସାରା ବିଶ୍ୱରେ ୧୩୦ କୋଟି ଲୋକ ହ୍ଵାଟସ୍‌ଆପ୍‌ ବ୍ୟବହାର କରୁଛନ୍ତି। ସେଥି ମଧ୍ୟରୁ ୨୦ କୋଟି ହେଉଛନ୍ତି ଭାରତୀୟ। ମିଥ୍ୟା ଖବରକୁ ନେଇ ମଧ୍ୟ ଲୋକମାନେ ଫେସବୁକ୍‌ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଫେସବୁକ୍‌ ମାଧ୍ୟମରେ ଅନେକ ମିଥ୍ୟା ଖବର ପ୍ରଚାରିତ ହେଉଛି। କେତେକ ସ୍ଥାନରେ ଏହାର ପରିଣତି ଭୟାବହ ହେଉଛି। ମିଥ୍ୟା ଖବର ରୋକିବା ଏବେ ଫେସବୁକ୍‌ ପାଇଁ ସବୁଠୁ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି। ଏହାକୁ ଯଦି ରୋକିବାରେ କଂପାନି ବିଫଳ ହେବ ତେବେ ତାହା ଲୋକମାନଙ୍କ ବିଶ୍ୱାସ ହରାଇବ। ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବା ପରେ ଫେସବୁକ୍‌କୁ ବିଭିନ୍ନ ଦେଶରେ ତୀବ୍ର ସମାଲୋଚନାର ଶିକାର ହୋଇଛି। ଜର୍ମାନି, ଆମେରିକା, ସିଙ୍ଗାପୁର ଓ ଭାରତରେ ଫେସବୁକ୍‌୍‌କୁ ଅନେକ ପ୍ରଶ୍ନ କରାଯାଉଛି। କଂପାନିକୁ କୈଫିୟତ ତଲବ କରାଯାଇଛି। ଏହି ଘଟଣା ଫେସବୁକ୍‌ର ଛବିକୁ ମିଳିନ କରିଦେଇଛି। ଲୋକମାନେ ହ୍ଵାଟସ୍‌ଆପ୍‌ ଓ ଇନଷ୍ଟାଗ୍ରାମ୍‌ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହି ଦୁଇ ସଂସ୍ଥା ଫେସବୁକ୍‌ର ମାଲିକାନାରେ ରହିଛି। ଫେସବୁକ୍‌ କରିଥିବା ଭୁଲଗୁଡ଼ିକର ପ୍ରଭାବ ଯେଭଳି ଏହି ସବୁ ସଂସ୍ଥା ଉପରେ ନପଡ଼େ ସେଥିପାଇଁ କଂପାନି ସଚେତନ ହୋଇଯାଇଛି। ନିଜ ଭୁଲଗୁଡ଼ିକୁ ସୁଧାରିବା ପାଇଁ ଫେସବୁକ୍‌ ପ୍ରୟାସ ଆରମ୍ଭ କରିଦେଇଛି। ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ପ୍ରଯୁକ୍ତିର ସହାୟତା ନେଉଛି। ବିଭିନ୍ନ ଦେଶର ସରକାରଙ୍କୁ ବୁଝାଇବା ପାଇଁ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଉଛି। ହ୍ଵାଟସ୍‌ଆପ୍‌ରେ ମଧ୍ୟ ମିଥ୍ୟା ଖବର ପ୍ରଚାରିତ ହେଉଛି। ଏହାକୁ ରୋକିବା ପାଇଁ କଂପାନି ପକ୍ଷରୁ ନୂତନ ପ୍ରଯୁକ୍ତି ବ୍ୟବହାର କରାଯାଉଛି। କିଛି ଦିନ ଭିତରେ ହ୍ଵାଟସ୍‌ଆପ୍‌ ଏହାର ବ୍ୟବହାରକାରୀଙ୍କୁ ଜଣାଇ ଦେବ କେଉଁ ମେସେଜ୍‌ ଟାଇପ୍‌ କରାଯାଇଛି ଓ କାହାକୁ ଫର୍‌ଓ୍ଵାର୍ଡ କରାଯାଇଛି। ସାଧାରଣତଃ ମିଥ୍ୟା ଖବରଗୁଡ଼ିକୁ ଅଧିକ ଫର୍‌ଓ୍ଵାର୍ଡ କରାଯାଏ।

ସମ୍ବନ୍ଧିତ ଖବର