କୋଠାରି ବାପପୁଅ ଦିନିକିଆ ରିମାଣ୍ଡରେ

ନୂଆଦିଲ୍ଲୀ: ପ୍ରାୟ ୩୭୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପରିଶୋଧ ନକରି ଗିରଫ ହୋଇଥିବା ରୋଟୋମ୍ୟାକ୍‌ କମ୍ପାନିର ମାଲିକ ବିକ୍ରମ କୋଠାରି ଓ ତାଙ୍କ ପୁଅ ରାହୁଲ କୋଠାରିଙ୍କୁ ସିବିଆଇ ଆଜି ଦିନିକିଆ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ଲକ୍ଷ୍ନୌ ନେଇଛି। ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ସିବିଆଇକୁ ଏହି ଅନୁମତି ଦେଇଛି। ବାପପୁଅଙ୍କୁ ଶନିବାର ଲକ୍ଷ୍ନୌର ଏକ ଅଦାଲତରେ ହାଜର କରାଯିବ। ବାପପୁଅଙ୍କୁ ଲକ୍ଷ୍ନୌକୁ ଦୁଇ ଦିନ ରିମାଣ୍ଡରେ ନେବା ଲାଗି ସିବିଆଇ ଆବେଦନ କରିଥିଲା। କିନ୍ତୁ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସମର ବିଶାଳ ଗୋଟିଏ ଦିନ ପାଇଁ ଅନୁମତି ଦେଇଥିଲେ। ଉଭୟ ବାପପୁଅଙ୍କୁ ସିବିଆଇ ଗୁରୁବାର ଗିରଫ କରିଥିଲା। ରେଟୋମ୍ୟାକ୍‌ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡକୁ ୭ଟି ବ୍ୟାଙ୍କ ୨୯୧୯ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ। ୨୦୦୮ ମସିହାରୁ ଏହି ଋଣ ବିଭିନ୍ନ ପର୍ଯ୍ୟାୟରେ ବ୍ୟାଙ୍କ ଗୁଡ଼ିକ ଦେଇଥିଲେ। କିନ୍ତୁ ରୋଟୋମ୍ୟାକ୍‌ ପକ୍ଷରୁ ଏହି ଋଣ ପରିଶୋଧ କରା ନଯିବା ଯୋଗୁଁ ମୂଳ ଓ ସୁଧ ମିଶି ଏହି ରାଶି ଏବେ ୩୬୯୫ କୋଟି ଟଙ୍କାରେ ପହଞ୍ଚିଛି ବୋଲି ସିବିଆଇ ତାହାର ଏତଲାରେ ଦର୍ଶାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନେତୃତ୍ୱରେ ୭ଟି ବ୍ୟାଙ୍କ ଏହି ଋଣ ପ୍ରଦାନ କରିଥିଲେ। ଏହି କନର୍ସୋଟିୟମ୍‌ର ସଦସ୍ୟ ଥିବା ବ୍ୟାଙ୍କ ଅଫ୍‌ ବରୋଦାର ଅଭିଯୋଗକ୍ରମେ ସିବିଆଇ ସେମାନଙ୍କୁ ଗିରଫ କରିଛି। ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଠକେଇ ଘଟଣା ପଦାକୁ ଆସିବା ପରେ ସେମାନେ ଦେଶ ଛାଡ଼ି ବିଦେଶକୁ ପଳାଇ ଯାଇଛନ୍ତି। ତେଣୁ କୋଠାରି ପରିବାରର ସଦସ୍ୟମାନେ ଦେଶ ଛାଡ଼ି ଚାଲିଯାଇ ପାରନ୍ତି ବୋଲି ଆଶଙ୍କା କରି ବ୍ୟାଙ୍କ ଅଫ ବରୋଦ ସିବିଆଇର ଦ୍ୱାରସ୍ଥ ହୋଇଥିଲା। ସିବିଆଇ ପକ୍ଷରୁ ବିକ୍ରମ କୋଠାରି, ତାଙ୍କ ପତ୍ନୀ ସାଧନା ଓ ପୁଅ ରାହୁଲ୍‌ଙ୍କ ସମେତ କେତେଜଣ ଅଜଣା ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ରୋଟୋମ୍ୟାକ୍‌ ଗ୍ରୁପ୍‌କୁ ୧୦୬ କୋଟିର ଆୟକର ନୋଟିସ୍‌
ନୂଆଦିଲ୍ଲୀ: ବିକ୍ରମ କୋଠାରିଙ୍କ ଦ୍ୱାରା ପରିଚାଳିତ ରୋଟୋମ୍ୟାକ୍‌ ଗ୍ରୁପ୍‌କୁ ଆୟକର ବିଭାଗ ୧୦୬ କୋଟି ଟଙ୍କାର ଟିକସ ନୋଟିସ ପଠାଇଛି। ୨୦୧୪ ମସିହାରେ ଆୟକର ବିଭାଗ ପକ୍ଷରୁ ରୋଟୋମ୍ୟାକ୍‌ ଉପରେ ଚଢ଼ଉ ହୋଇଥିଲା। ୨୦୧୪ ମସିହା ପର୍ଯ୍ୟନ୍ତ କଂପାନିର ଆୟ ଉପରେ ଏହି ଟିକସ ଦାବି କରାଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଟିକସ ଫାଙ୍କିଥିବାରୁ ସେମାନଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନଯିବ ବୋଲି ମଧ୍ୟ ଏଥିରେ କୁହାଯାଇଛି। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଠକେଇ କରିଲେ ୩ମାସରୁ ୨ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ସହିତ ଜରିମାନା ଦେବାର ବ୍ୟବସ୍ଥା ଆୟକର ଆଇନରେ ରହିଛି। ସେହିଭଳି ୨୫ ଲକ୍ଷ ଟଙ୍କାରୁ ଅଧିକ ଟିକସ ଫାଙ୍କିଥିଲେ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ସହିତ ଜରିମାନା ଦେବାର ବ୍ୟବସ୍ଥା ଆୟକର ଆଇନରେ ରହିଛି।

ସମ୍ବନ୍ଧିତ ଖବର