ପେଟ୍ରୋଲ୍‌ କିଣିବା ପାଇଁ ଋଣ ମିଳିବ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଗଲାଣି। ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୫ ଟଙ୍କାରୁ ଅଧିକ ହୋଇଗଲାଣି। ଏଭଳି ଏକ ସମୟରେ ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କଂପାନି ନାମକ ଏକ ସଂସ୍ଥା ପକ୍ଷରୁ ପେଟ୍ରୋଲ୍‌ ଓ ଡିଜେଲ କିଣିବା ପାଇଁ ଋଣ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଗ୍ରାହକଙ୍କୁ ଶ୍ରୀରାମ୍‌ ଟ୍ରାନ୍ସପୋର୍ଟ ପେଟ୍ରୋଲ୍‌ ଓ ଡିଜେଲ କିଣିବା ପାଇଁ ଋଣ ପ୍ରଦାନ କରିବ। ଏହି ଋଣ ଡିଜିଟାଲ୍‌ ଆକାରରେ ମିଳିବ। ଏ ସଂକ୍ରାନ୍ତରେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ଓ ଶ୍ରୀରାମ୍‌ ଟ୍ରାନ୍ସପୋର୍ଟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଶ୍ରୀରାମ ଟ୍ରାନ୍ସପୋର୍ଟ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଆମଠାରୁ ଋଣ ନେଇ ପେଟ୍ରୋଲ୍‌, ଡିଜେଲ ଓ ଲୁବ୍ରିକାଣ୍ଟ୍‌ କିଣିପାରିବେ। ଏହି ଋଣ ପାଇଁ ନଗଦ ଟଙ୍କା କିମ୍ବା କାର୍ଡ ବ୍ୟବହାର କରାଯିବ ନାହିଁ। ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ (ଓଟିପି) ଜରିଆରେ ଡିଜିଟାଲ୍‌ ଋଣ ପ୍ରଦାନ କରାଯିବ। ଗ୍ରାହକମାନେ ସେହି ଋଣ ରାଶିକୁ ୧୫ରୁ ୩୦ ଦିନ ଭିତରେ ବ୍ୟବହାର କରିବାକୁ ପଡ଼ିବ। ଏହି ଋଣ ଦ୍ୱାରା ଟ୍ରାନ୍ସପୋର୍ଟ କଂପାନି ଓ ପରିବହନ କ୍ଷେତ୍ରରେ ଗାଡ଼ି ଲଗାଇଥିବା ମାଲିକମାନେ ଲାଭବାନ ହେବେ। ଉଲ୍ଲେଖଯୋଗ୍ୟ, ଶ୍ରୀରାମ ଟ୍ରାନ୍ସପୋର୍ଟ ପକ୍ଷରୁ ବାଣିଜ୍ୟିକ ଗାଡ଼ି କିଣାକିଣି ଓ ଟାୟାର କିଣିବା ପାଇଁ ମଧ୍ୟ ଋଣ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର