ଦେଶବାସୀଙ୍କୁ ପେଟ୍ରୋଲ ଉପହାସ:ମାତ୍ର ୧ ପଇସା କମିଲା

ଭୁବନେଶ୍ୱର: ଦୀର୍ଘ ୧୬ ଦିନର ବ୍ୟବଧାନ ପରେ ତେଲ ଦର କମିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ମୂଲ୍ୟ ୧ ପଇସା ହ୍ରାସ ପାଇଛି। ଚଳିତମାସ ୧୪ ତାରିଖ ଠାରୁ ତେଲ ଦର ନିୟମିତ ଭାବେ ବୃଦ୍ଧି ପାଉଥିଲା।
କର୍ଣ୍ଣାଟକ ନିର୍ବାଚନ ପରିପ୍ରେକ୍ଷୀରେ ସରକାରଙ୍କ ଅଲିଖିତ ନିର୍ଦ୍ଦେଶରେ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନକୁ ୧୯ ଦିନ ଧରି ସ୍ଥଗିତ ରଖିଥିଲେ। କିନ୍ତୁ ନିର୍ବାଚନ ପରେ ଚଳିତ ମାସ ୧୪ ତାରିଖରୁ ଏହି ଦର କ୍ରମାଗତ ଭାବେ ବଢ଼ାଇ ଚାଲିଥିଲେ। ଚଳିତ ମାସ ୧୪ ତାରିଖରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୩ ଟଙ୍କା ୬୪ ପଇସା ରହିଥିବାବେଳେ ଡିଜେଲ ଦର ୭୦ ଟଙ୍କା ୮୮ ପଇସା ରହିଥିଲା। କିନ୍ତୁ ଗତ ୧୬ ଦିନ ମଧ୍ୟରେ ଏହା ବୃଦ୍ଧି ପାଇବା ସହିତ ମଙ୍ଗଳବାର ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ରେକର୍ଡ ୭୭ ଟଙ୍କା ୨୩ ପଇସା ଏବଂ ଡିଜେଲ ମୂଲ୍ୟ ରେକର୍ଡ ୭୪ ଟଙ୍କା ୩୦ ପଇସାରେ ପହଞ୍ଚି ଯାଇଥିଲା। ଫଳରେ ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୫୯ ପଇସା ଏବଂ ଡିଜେଲ ଲିଟର ପିଛା ୩ ଟଙ୍କା ୪୨ ପଇସା ମହଙ୍ଗା ହୋଇଛି। କିନ୍ତୁ ବୁଧବାର ପେଟ୍ରୋଲ ଏବଂ ଡିଜେଲ ଦର ମାତ୍ର ଏକ ପଇସା ଲେଖାଏଁ ହ୍ରାସ ଘଟିଛି। ଫଳରେ ଭୁବନେଶ୍ୱରରେ ବୁଧବାର ସକାଳୁ ଗ୍ରାହକମାନେ ପେଟ୍ରୋଲ ଲିଟର ୭୭ ଟଙ୍କା ୨୨ ପଇସାରେ ଏବଂ ଡିଜେଲ ଲିଟର ପିଛା ୭୪ ଟଙ୍କା ୨୯ ପଇସାରେ କିଣିବେ। ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମର ତେଲ ଟାଙ୍କିରେ ଏହି ଦରରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର