ପିଏନ୍‌ବି ଠକେଇ:ଏଲ୍‌ଓୟୁ ଉପରେ ରୋକ୍‌ ଲାଗିଲା

ମୁମ୍ବାଇ, : ପିଏନ୍‌ବି ଠକେଇ ପଦାକୁ ଆସିବାର କିଛିଦିନ ପରେ ରିଜର୍ଭ ବ୍ୟାଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମଦାନୀ ସଂକ୍ରାନ୍ତ ଅର୍ଥ ପଇଠ କରିବା ଲାଗି ବ୍ୟାଙ୍କ ଗୁଡ଼ିକ ପୂର୍ବରୁ ବ୍ୟବସାୟୀମାନଙ୍କୁ ପ୍ରଦାନ କରୁଥିବା ଏଲ୍‌ଓୟୁ (ଲେଟର୍ସ ଅଫ୍‌ ଅଣ୍ଡରଟେକିଂ) ଓ ଲେଟର୍ସ ଅଫ୍‌ କମ୍ଫର୍ଟ (ଏଲ୍‌ଓୟୁ) ଆଉ ଜାରି କରିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିୟମକୁ ତତ୍କାଳ ଲାଗୁ କରାଯାଇଛି। ଏହି ନିୟମ ଅଧିସ୍ୱୀକୃତ ଡିଲର ବର୍ଗ-୧ ବ୍ୟାଙ୍କ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇଛି। ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସି ପିଏନ୍‌ବିର ଅଧିକାରୀମାନଙ୍କୁ ହାତକରି ଜାଲ ଏଲ୍‌ଓୟୁ ଏବଂ ଏଲ୍‌ଓସି ମାଧ୍ୟମରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଠକି ବିଷୟ ପଦାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଓୟୁରେ ପ୍ରଦାନ କରାଯାଉଥିବା ଋଣ ସାଧାରଣତଃ ସ୍ୱଳ୍ପ ଅବଧି ପାଇଁ ଦିଆଯାଇଥାଏ।

ଏହାକୁ ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ବ୍ୟବହାର କରାଯାଇଥାଏ। ବ୍ୟାଙ୍କର ଗ୍ରାହକମାନେ ଏହି ଗ୍ୟାରେଣ୍ଟି ବା ଏଲ୍‌ଓୟୁ ମାଧ୍ୟମରେ ବିଦେଶର ବ୍ୟବସାୟୀମାନଙ୍କୁ ସାମଗ୍ରୀ ଆମଦାନୀ ପାଇଁ ବୈଦେଶିକ ମୁଦ୍ରାରେ ଅର୍ଥ ପଇଠ କରିବା ସୁଯୋଗ ପାଇଥାନ୍ତି। ଏହି ବ୍ୟାଙ୍କ ଗ୍ୟାରେଣ୍ଟିକୁ ଉପଯୋଗ କରି ବ୍ୟବସାୟୀମାନେ ବିଦେଶରେ ଥିବା ଭାରତୀୟ ବ୍ୟାଙ୍କ ଗୁଡ଼ିକର ଶାଖାରୁ ବିଦେଶୀ ମୁଦ୍ରା ଉଠାଇ ପାରିଥାନ୍ତି। ତେବେ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଘଟଣାରେ ବ୍ୟାଙ୍କର ନିୟମାବଳୀରେ ଏଲ୍‌ଓୟୁର ଯେଉଁ ୯୦ ଦିନ ସମୟସୀମା ରହିଛି ତାହାକୁ ଉଲ୍ଲଂଘନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ୭୪ ମାସ ମଧ୍ୟରେ ନିରବ ମୋଦି, ମେହୁଲ ଚୋକ୍‌ସି ଓ ସେମାନଙ୍କର କଂପାନି ୧୨୧୨ଟି ଏଲ୍‌ଓୟୁ ହାତେଇଛନ୍ତି। ଗତ ୭ ବର୍ଷ ଧରି ନିରବ ମୋଦି ଓ ତାଙ୍କର ୩ଟି କଂପାନି ଯଥା ଡାଇମଣ୍ଡ ଆର୍‌ ୟୁସ୍‌, ସୋଲାର ଏକ୍ସପୋର୍ଟସ ଏବଂ ଷ୍ଟେଲାର ଡାଇମଣ୍ଡ୍‌ସ ପିଏନ୍‌ବିର ବ୍ରେଡି ରୋଡ ଶାଖାରୁ ଏଲ୍‌ଓୟୁ ହାତେଇବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର