ସ୍ବିସ୍‌ ବ୍ୟାଙ୍କ ତଥ୍ୟ ଦେବ ସ୍ବିଜରଲ୍ୟାଣ୍ଡ୍‌, କଳାଧନ ଲଢ଼େଇରେ ବଡ଼ ସଫଳତା

ନୂଆଦିଲ୍ଲୀ: କଳାଧନ ବିରୋଧରେ ଲଢ଼େଇ ଜାରି ରଖିଥିବା ଭାରତକୁ ବଡ଼ ଧରଣର ସଫଳତା ମିଳିଛି। କଳାଧନକୁ ନେଇ ତଦନ୍ତର ସାମ୍ନା କରୁଥିବା ଦୁଇଟି ସଂସ୍ଥା ଓ ତିନି ଜଣ ବ୍ୟକ୍ତିଙ୍କ ସ୍ବିସ୍‌ ବ୍ୟାଙ୍କ ତଥ୍ୟ ଦେବାକୁ ସ୍ବିଜରଲ୍ୟାଣ୍ଡ୍‌ ରାଜି ହୋଇଛି। ‌ସେହି ଦୁଇ ସଂସ୍ଥା ହେଉଛି ଜିଓଡେସିକ୍ ଲିମିଟେଡ୍‌ ଓ ଆଧି ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍। ଜିଓଡେସିକ୍ ବିରୋଧରେ ସେବି ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଧି ଏଣ୍ଟରପ୍ରାଇଜେସ୍‌ର ତାମିଲନାଡ଼ୁର ଜଣେ କ୍ଷମତାଶାଳୀ ନେତାଙ୍କ ସହ ସମ୍ପର୍କ ରହିଛି। ଜିଓଡେସିକ୍‌ର ପଙ୍କଜ କୁମାର ଓଁକାର ଶ୍ରୀବାସ୍ତବ (ଅଧ୍ୟକ୍ଷ), ପ୍ରଶାନ୍ତ ଶରଦ ମୁଲେକର (ଇଡି) ଓ କିରଣ କୁଲକର୍ଣ୍ଣି (ଏମ୍‌ଡି)ଙ୍କ ବ୍ୟାଙ୍କ ତଥ୍ୟ ମଧ୍ୟ ସ୍ବିଜରଲ୍ୟାଣ୍ଡ୍‌ ପ୍ରଦାନ କରିବ। ବ୍ୟାଙ୍କ ତଥ୍ୟ ନଦେବା ପାଇଁ ଏହି ଦୁଇ ସଂସ୍ଥା ଓ ତିନି ବ୍ୟକ୍ତି ସ୍ବିଜରଲ୍ୟାଣ୍ଡ୍‌ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ ମଧ୍ୟ କରିପାରିବେ। ୧୯୮୨ ମସିହାରେ ସ୍ଥାପନ କରାଯାଇଥିବା ଜିଓଡେସିକ୍ ଏକଦା ଏକ ଦ୍ରୁତ ଅଭିବୃଦ୍ଧିଶୀଳ କଂପାନି ଥିଲା। ଏହାର ୱେବସାଇଟ୍ ବନ୍ଦ ହୋଇଗଲାଣି ଓ କଂପାନିର ସେୟାର ମଧ୍ୟ ଷ୍ଟକ ବଜାରରେ ନିଷ୍କ୍ରିୟ ହୋଇଯାଇଛି। ସେବି, ଇଡି ଓ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଏବେ ଏହି କଂପାନିର ତଦନ୍ତ କରୁଛନ୍ତି। ସେହିପରି, ୨୦୧୪ ନଭେମ୍ବରରେ ଆଧି ଏଣ୍ଟରପ୍ରାଇଜେସ୍‌କୁ ଚେନ୍ନାଇରେ ସ୍ଥାପନ କରାଯାଇଥିଲା ଓ ଏହାର ରିଅଲ ଇଷ୍ଟେଟ୍‌ କାରବାର କରୁଥିଲା। ଦାମୀ ନେତାଙ୍କ ସହ ସମ୍ପର୍କ ଓ ମନି ଲଣ୍ଡରିଂ ଅଭିଯୋଗ ଆସିବା ପରେ ଏହି କଂପାନିର ସମସ୍ୟା ବଢ଼ିଯାଇଥିଲା। କଂପାନିର ‌ଅନେକ ସମ୍ପତ୍ତି ଉପରେ ବହୁବାର ଆୟକର ବିଭାଗ ଚଢ଼ଉ କରିଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ଠାରୁ ଭାରତ ଓ ସ୍ବିଜରଲ୍ୟାଣ୍ଡ୍‌ ଭିତରେ ସ୍ବୟଂଚାଳିତ ବ୍ୟାଙ୍କ ତଥ୍ୟ ଆଦାନପ୍ରଦାନ ହେବ। ଏ ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। ଅନ୍ୟ ଦେଶଗୁଡ଼ିକ ମଧ୍ୟରୁ ସ୍ବିଜରଲ୍ୟାଣ୍ଡ୍‌ ବ୍ୟାଙ୍କ ତଥ୍ୟ ଦେବ।

ସମ୍ବନ୍ଧିତ ଖବର