ନୂଆଦିଲ୍ଲୀ : ହ୍ଵାଟସଆପ ମେସେଜ ଯୋଗୁଁ କେବଳ ଆମ ଦେଶରେ ନୁହେଁ ସାରା ବିଶ୍ୱରେ ବିଭିନ୍ନ ଗୁଜବ ବ୍ୟାପୀ ହିଂସାକାଣ୍ଡ ସୃଷ୍ଟି ହେଉଛି । ଏହାକୁ ମୁକାବିଲା କରିବା ଲାଗି ହ୍ଵାଟ୍ସଆପ କେତେକ ପଦକ୍ଷେପ ନେଇଛି । ଏଣିକି ଜଣେ ୟୁଜର ଥରକୁ କେବଳ ୫ ଜଣ ୟୁଜର ବା ଗ୍ରୁପକୁ ମେସେଜ ପଠାଇପାରିବେ । ଏ ସଂପର୍କରେ ହ୍ଵାଟ୍ସଆପର ଉପସଭାପତି ଭିକ୍ଟୋରିଆ ଗ୍ରାଣ୍ଡ ସୂଚନା ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କମ୍ପାନି ଗତ ବର୍ଷ ଜୁଲାଇ ମାସରେ ଭାରତରେ ଜଣେ ୟୁଜର ଥରକୁ କେବଳ ୫ ଜଣ ୟୁଜର ବା ଗ୍ରୁପକୁ ମେସେଜ ପଠାଇପାରିବାର ବ୍ୟବସ୍ଥା କରିଥିଲା । ହ୍ଵାଟ୍ସଆପ ମେସେଜ ମାଧ୍ୟମରେ ବିଭିନ୍ନ ଗୁଜବ ବ୍ୟାପୀ ହିଂସାକାଣ୍ଡ ସୃଷ୍ଟି ହେବାରୁ ସରକାରଙ୍କ ତାଗିଦ ପରେ କମ୍ପାନି ଏହି ପଦକ୍ଷେପ ନେଇଥିଲା ।
ଏହି ପଦକ୍ଷେପ ପରେ ଭାରତରେ ସ୍ଥିତିରେ କିଛିଟା ଉନ୍ନତି ଆସିଛି । ତେବେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ହ୍ଵାଟ୍ସଆପ ମାଧ୍ୟମରେ ଗୁଜବ ବ୍ୟାପୀ ଚାଲିଛି ଓ ନିରୀହ ଲୋକମାନେ ତାହାର ଶିକାର ହୋଇଛନ୍ତି । ମିଥ୍ୟା ସୂଚନାକୁ ରୋକିବାକୁ, ଏପରି ଗୁଜବ ପ୍ରସାର କରୁଥିବା ଅସାମାଜିକ ଗୋଷ୍ଠୀମାନଙ୍କୁ ରୋକିବା, ସେମାନଙ୍କୁ ଚିହ୍ନଟ କରିବା, ଆଇନର ପରିସରକୁ ଆଣିବା ପାଇଁ ଆହୁରି ପ୍ରଭାବଶାଳୀ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଦାବି କରିଆସୁଥିଲେ । ଏହା ପରେ କମ୍ପାନି ଏହି ପଦକ୍ଷେପ ନେଇଛି ।