୩୦୦ କୋଟି କାହାର?

 ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟ ଆକାଉଣ୍ଟ୍‌, ଦାବିଦାର ମିଳୁନାହାନ୍ତି

ଜୁରିକ୍‌/ନୂଆଦିଲ୍ଲୀ: କଳାଟଙ୍କା ପ୍ରସଙ୍ଗକୁ ନେଇ ଦେଶରେ ପ୍ରତିଦିନ ସରକାରୀ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ୨୦୧୭ରେ ୫୦ ପ୍ରତିଶତ ବୃଦ୍ଧି ଘଟି ପ୍ରାୟ ୭୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ଖବର ନିକଟରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶରେ ଜୋରଦାର ବିତର୍କ ଆରମ୍ଭ ହୋଇଥିଲା। ଏହି ବିତର୍କ ନଥମୁଣୁ ସ୍ୱିସ୍‌ ବ୍ୟାଙ୍କରେ ନିଷ୍କ୍ରିୟ ହୋଇଯାଇଥିବା ଆକାଉଣ୍ଟର ଦାବିଦାର ନଥିବା ଲୋକଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ୬ ଜଣ ଭାରତୀୟଙ୍କ ନାମ ଉଲ୍ଲେଖ ରହିଛି। କଳାଟଙ୍କା ବିତର୍କକୁ ଏବେ ଏହା ଆଉ ଏକ ଖୋରାକ ଯୋଗାଇଛି। ନିଷ୍କ୍ରିୟ ଘୋଷଣା ହୋଇଥିବା ଆକାଉଣ୍ଟରରେ ଭାରତୀୟମାନଙ୍କର ୩୦୦ କୋଟି ଟଙ୍କା ଜମା ରହିଛି। ଏହି ଟଙ୍କାକୁ ନେବା ପାଇଁ ଦୀର୍ଘବର୍ଷ ହେଲା କେହି ଦାବି ମଧ୍ୟ କରୁନାହାନ୍ତି।

ସ୍ୱିସ୍‌ ବ୍ୟାଙ୍କ ଗତ ୩ ବର୍ଷ ହେଲା ଏଭଳି ତାଲିକା ପ୍ରକାଶ କରି ଆସୁଛି। ସ୍ୱିସ୍‌ ନାଗରିକଙ୍କ ସମେତ ବିଦେଶୀମାନଙ୍କ ଜମାରାଶିର ଦାବିଦାର ନଥିବା ଟଙ୍କା ସମ୍ପର୍କରେ ୨୦୧୫ ଡିସେମ୍ବରରେ ପ୍ରଥମେ ସ୍ୱିଜରଲାଣ୍ଡର ବ୍ୟାଙ୍କ ଲୋକପାଳ ତଥ୍ୟ ପ୍ରକାଶ କରିଥିଲେ। ଏହାପରଠାରୁ ଯେତେବେଳେ ଯେଉଁ ଆକାଉଣ୍ଟକୁ ନିଷ୍କ୍ରିୟ ଘୋଷଣା କରାଯାଉଛି ସେହି ସମୟରେ ଏ ନେଇ ତାଜା ସୂଚନା ପ୍ରଦାନ କରାଯାଇ ଆସୁଛି। ଏସବୁ ଆକାଉଣ୍ଟର ପ୍ରକୃତ ମାଲିକ କିମ୍ବା ସେମାନଙ୍କ ଆଇନଗତ ଉତ୍ତରାଧିକାରୀମାନଙ୍କୁ ଟଙ୍କା ଦାବି କରିବା ନିମନ୍ତେ ସୁଯୋଗ ଦେବା ଲାଗି ଏହା କରାଯାଉଛି।

ଏବେ ମଧ୍ୟ ଏହି ତାଲିକାରେ ମୋଟ ୩୫୦୦ ଆକାଉଣ୍ଟ ରହିଛି। ଏଥିରୁ ଅତିକମ୍‌ରେ ୬ଟି ଆକାଉଣ୍ଟ ଭାରତ ସହ ସଂପର୍କ ଥିବା ବ୍ୟକ୍ତିଙ୍କର ରହିଛି ବୋଲି କୁହାଯାଇଛି। ଏହି ୬ଜଣଙ୍କ ମଧ୍ୟରୁ ୩ ଜଣ ଭାରତୀୟ ହୋଇଥିବା ବେଳେ ଅନ୍ୟ ୩ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଯେଉଁମାନଙ୍କର ଠିକଣା ଭାରତ ବାହାରେ ରହିଛି। ଏସବୁ ଆକାଉଣ୍ଟରେ ଜମା ଟଙ୍କା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ଏସବୁ ଆକାଉଣ୍ଟରେ ମୋଟ ପ୍ରାୟ ୩୦୦ କୋଟି ଟଙ୍କା ଜମାଥିବା ଜଣାଯାଇଛି। ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ୟାରିସ୍‌ର, ଅନ୍ୟ ଜଣେ ଲଣ୍ଡନର ବୋଲି ଦର୍ଶାଯାଇଛି। କିନ୍ତୁ ତୃତୀୟ ବ୍ୟକ୍ତିଙ୍କ ଠିକଣା ସମ୍ପର୍କରେ କିଛି କୁହାଯାଇ ନାହିଁ। ଭାରତର ଯେଉଁ ୩ ଜଣ ବ୍ୟକ୍ତି ରହିଛନ୍ତି ସେମାନଙ୍କ ମଧ୍ୟରୁ ଦୁଇଜଣ ମୁମ୍ବାଇର ହୋଇଥିବା ବେଳେ ଅନ୍ୟ ଜଣେ ଡେରାଡୁନ୍‌ର। ମୁମ୍ବାଇର ଦୁଇଜଣ ବ୍ୟକ୍ତିହେଲେ ପେରି ଭାଚେକ୍‌ ଏବଂ ବର୍‌ନେଟ୍‌ ରୋଜମେରି, ଡେରାଡୁନ୍‌ର ଜମାକାରୀ ଜଣକ ହେଲେ ବାହାଦୂର ଚନ୍ଦ୍ର ସିଂହ। ସେହିଭଳି ପ୍ୟାରିସ୍‌ର ଭାରତୀୟ ବ୍ୟକ୍ତିଜଣକ ହେଲେ ଡ ମୋହନ ଲାଲ୍‌ ଏବଂ ଲଣ୍ଡନର ଭାରତୀୟ ଜଣକ ହେଲେ ସୁଚାହ ଯୋଗେଶ୍ଚ ପ୍ରଭୁଦାସ। ଷଷ୍ଠ ଭାରତୀୟଙ୍କ ନାମ କିଶୋର ଲାଲ ହୋଇଥିବାବେଳେ ତାଙ୍କର ଠିକଣା ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ଭାଚେକ୍‌ଙ୍କ ଜନ୍ମ ତାରିଖ ଜାନୁଆରି ୧, ୧୯୦୮ ବୋଲି ଉଲ୍ଲେଖ କରାଯାଇଛି। ଟଙ୍କା ପାଇଁ ଉପଯୁକ୍ତ ଦାବିଦାର ନମିଳିଲେ ଏସବୁ ବ୍ୟକ୍ତିଙ୍କ ନାମ ତାଲିକାରେ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଯେଉଁବ୍ୟକ୍ତିମାନଙ୍କର ୫୦୦ ଫ୍ରାଙ୍କ୍‌ସରୁ ଅଧିକ ଟଙ୍କା ଜମା ରହିଛି ଏବଂ ଅତିକମ୍‌ରେ ୬୦ ବର୍ଷ ହେଲା ସେହି ଅର୍ଥକୁ କେହି ଦାବି କରୁନାହାନ୍ତି ସେହି ବ୍ୟକ୍ତିମାନଙ୍କର ତାଲିକା ପ୍ରକାଶ ପାଇଛି। ଯେତେବେଳେ ଦାବିଦାର ନଥିବା ଜମାରାଶିର ପ୍ରକୃତ ହିତାଧିକାରୀ ମିଳିଯାଆନ୍ତି ତାହା ପରେ ସ୍ୱିସ୍‌ ବ୍ୟାଙ୍କ ତାଲିକାରୁ ତାହାକୁ ବାଦ ଦେଇଥାଏ। ୨୦୧୭ରେ ଏଭଳି ୪୦ଟି ଖାତାକୁ ତାଲିକାରୁ ବାଦ ଦିଆଯାଇଛି।

ସମ୍ବନ୍ଧିତ ଖବର