ସଚେତନତା ସତ୍ତ୍ୱେ କନ୍ଧମାଳରେ କମୁନି ବାଲ୍ୟ ବିବାହ, ବଧୂବେଶରେ ନାବାଳିକା, ବରକୁ ଫେରାଇଲା ଚାଇଡ୍‌ଲାଇନ

ଫୁଲବାଣୀ: କନ୍ଧମାଳରେ ସରକାରୀ ସ୍ତରରେ ହେଉ କି ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ହେଉ ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବାଲ୍ୟ ବିବାହର ଭୟାବହତା ଓ ଏ ନେଇ ଥିବା ଜେଲଦଣ୍ଡ ସମ୍ପର୍କରେ ସଚେତନତା କରାଯାଉଛି। ଏହା ପରେ ବି ବାଲ୍ୟ ବିବାହ କେଉଁଠି ନାଁ କେଉଁଠି ଖୁଲମଖୁଲା ଆଉ କେଉଁଠି ଲୁଚିଛପି ଚାଲିଛି। ଗୋଛାପଡା ଥାନା ପାହିରାଜୁ ଅଞ୍ଚଳରେ ବୁଧବାର ଜଣେ ୧୭ ବର୍ଷର ନାବାଳିକା ସହ କାଶିନପଦରର ଜଣେ ଯୁବକଙ୍କ ସହ ବାହାଘର ହେଉଥିବା କେଣସି ସୁତ୍ରରୁ ଫୁଲବାଣୀ ଚାଇଲଡଲାଇନକୁ ଖବର ମିଳିଥିଲା। ତାପରେ ଦୁଇଟି ଟିମ ଗଠନ କରାଯାଇଥିଲା। ଗୋଟିଏ ଟିମ୍‌ ବର ଘରକୁ ଯାଇଥିଲା। ଅନ୍ୟ ଟିମଟି କନ୍ୟା ଘରକୁ ଯାଇଥିଲା। କନ୍ୟା ଘରକୁ ଯିବାରେ ନାବାଳିକା ବଧୂବେଶରେ ବେଦୀରେ ବସିଥିବା ଏବଂ ପୁରୋହିତ ପାଠ କରୁଥିବା ଦେଖିବାକୁ ମିଳିଥିଲା।

ଟିମର ସଦସ୍ୟ ଓ ସଦସ୍ୟା ବୁଝାସୁଝା କରିଥିଲେ। ହେଲେ କେହି ବି ମାନିବାକୁ ପ୍ରସ୍ତୁତ ନଥିଲେ। ସେପେଟ ଟିମ ପହଞ୍ଚିବା ବେଳକୁ ବର ଘର ଛାଡି ବରଯାତ୍ରା ଧରି କନ୍ୟା ଘର ଅଭିମୁଖେ ବାହାରି ସାରିଲେଣି। ଟିମର ସଦସ୍ୟ ଓ ସଦସ୍ୟା ବର, ତାଙ୍କ ପିତା ଓ ମାତାଙ୍କୁ ବୁଝାସୁଝା କରିଥିଲେ। ତା’ପରେ ବର ଘରକୁ ଫେରିଥିଲା। ଦୁଇ ଟିମ ବହୁ ବୁଝାସୁଝା କରିବା ପରେ ଉଭୟ ପକ୍ଷ ରାଜି ହୋଇଥିଲେ। ଏବେ ବାହାଘର ହୋଇ ପାରିବ ନାହିଁ ବୋଲି ବର ଓ ନାବାଳିକା କନ୍ୟା ସମ୍ମତି ପ୍ରକାଶ କରିଥିଲେ। ତାପରେ ଏହାକୁ ନେଇ ଗୋଛାପଡା ଥାନାରେ ଉଭୟ ପକ୍ଷଙ୍କୁ ନେଇ ଏକ ଚୁକ୍ତିନାମା କରାଯାଇଥିଲା। ଫୁଲବାଣୀ ଚାଇଲଡଲାଇନର ରାଜଲକ୍ଷ୍ମୀ ମହାକୁଡ, ସଶ୍ମିତା କରଣ, ସିକୁନ ପ୍ରଧାନ ଓ ଦୋଳଗୋବିନ୍ଦ ପ୍ରମୁଖ ଆଜି ବାଲ୍ୟ ବିବାହ ବନ୍ଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର