ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ସ୍ୱାମୀ ଲିପନ୍‌ ସାହୁ ଗିରଫ

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ଲିପନ ସାହୁକୁ ଚାଉଳିଆଗଂଜ ଥାନା ପୁଲିସ ସୋମବାର ଗିରଫ କରିଥିବା ସୂଚନା ମିଳିଛି। ଲିପନ୍‌ ସାହୁକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ନିକିତାଙ୍କ ବାପା ସନାତନ ବେହେରା ରବିବାର ହତ୍ୟା ଅଭିଯୋଗ ଆଣିଥିଲେ। ସନାତନ କଟକର ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଥିଲେ।

ଅଭିନେତ୍ରୀ ନିକିତାଙ୍କ ଶନିବାର ଘର ଛାତରୁ ପଡ଼ି ମୃତ୍ୟୁ ଘଟିଥିଲା ବୋଲି ଜଣାପଡ଼ିଥିଲା। ନିକିତାଙ୍କ ପିତାଙ୍କ ଦ୍ୱାରା ଅଭିଯୋଗ ହେବା ପରେ ପୁଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା, ଅଭିନେତା ଲିପୁନ ‌ ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରେ ସେ ପ୍ରାୟତଃ ମହାନଦୀ ବିହାର ସ୍ଥିତ ତାଙ୍କ ବାପଙ୍କ ଘରେ ରହୁଥିବାବେଳେ ଲିପୁନ୍‌ ସେଠାକୁ ଯିବା ଆସିବା କରୁଥିଲେ। ଶୁକ୍ରବାର ରାତି ୧୦ଟାରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟ‌େର ତାଙ୍କ ବାପା, ମା’ ଓ ସ୍ୱାମୀ ଲିପୁନ ବି ଘରେ ଥିଲେ। କୁହାଯାଉଛି ଯେ, ସେ ହଠାତ୍‌ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ, ‌ପରେ କଟକ ବଡ ମେଡିକାଲ ଏବଂ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଶନିବାର ଦିନ ସାଢେ ବାରଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର