ବାଇକ୍‌କୁ ପିଟିଲା ହାଇଓ୍ଵା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଢେଙ୍କାନାଳ: ଜାତୀୟ ରାଜପଥ ୫୫ ନମ୍ବର ଗୋବିନ୍ଦପୁର ନିକଟରେ ବୁଧବାର ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅନୁଗୁଳ ପାର୍ଶ୍ୱରୁ କଟକ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ହାଇଓ୍ଵା ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ବିନୟ ବେହେରାଙ୍କ ପୁଅ ପ୍ରଶାନ୍ତ(୨୪) ଓ ସହଦେବ ବେହେରାଙ୍କ ପୁଅ ଜୟରାମ(୧୯) ବ୍ୟକ୍ତିଗତ କାମରେ ନଡିଆଳି ଗାଁକୁ ଯାଇ ରାତି ୮ଟାରେ ଘରକୁ ଫେରୁଥିଲେ। ସେମାନେ ଘରକୁ ପହଞ୍ଚିବା ପୂର୍ବରୁ ହାଇଓ୍ଵା(ଓଡି ୩୫ସି ୪୧୯୦) ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା।

ଜୟରାମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହାଇଓ୍ଵା ଚାଳକ ଫେରାର ହୋଇଯାଇଛି। ପୁଲିସ ହାଇଓ୍ଵାକୁ ଜବତ ରଖି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର