ଜାଡ଼ରେ ଥରିଲା କନ୍ଧମାଳ, ଫୁଲବାଣୀରେ ବର୍ଷର ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ

ଫୁଲବାଣୀ (ବଟକୃଷ୍ଣ ବିହାରୀ): କନ୍ଧମାଳ ଜିଲ୍ଲାର ଲୋକଙ୍କୁ ଶୀତ ଥରାଉଛି। ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି।

ରିପୋର୍ଟ ଅନୁସାରେ ରବିବାର କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଓଡ଼ିଶାର କଶ୍ମୀର କୁହାଯାଉଥିବା ‘ଦାରିଙ୍ଗବାଡ଼ି’ରେ ଆଜି ତାପମାତ୍ରା ୭.୮ ଡିଗ୍ରି ରେକର୍ଡ କରାଯାଇଛି।

କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ରାତିସାରା କୁହୁଡ଼ି ରହୁଥିବା ବେଳେ ଦିନ ବେଳା ଏହା ପୂର୍ବାହ୍ନ ୯ଟା ପରେ ହଟୁଛି। ଶୀତ ବଢ଼ିବା ଯୋଗୁଁ ବରିଷ୍ଠ ନାଗରିକମାନଙ୍କୁ ଅଧିକ କଷ୍ଟ ଅନୁଭବ ହେଉଛି। ବୁଢ଼ା-ବୁଢ଼ୀମାନେ ନିଅାଁ ପାଖରେ ବସିବା ପାଇଁ ବ୍ୟାକୁଳ ହୋଇ ପଡୁଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨ ସପ୍ତାହ ହେବ ଶୀତ ଅଧିକ ଅନୁଭୂତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ପ୍ରକୋପ ବେଶୀ ରହିଛି। ଫୁଲବାଣୀରେ ଶନିବାର ତାପମାତ୍ରା ୭ ଡିଗ୍ରି ଓ ଶୁକ୍ରବାର ୭.୫ଡିଗ୍ରି ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର