ଆଳିର ୧୧ ପଞ୍ଚାୟତ ବିଚ୍ଛିନ୍ନ

ଆଳି: ଗତ ୩ ଦିନର ଲଗାଣ ବର୍ଷା ବିତ୍ପାତ ଆଳି ବ୍ଲକ ୩୪ ପଞ୍ଚାୟତରେ ନାହିଁ ନ ଥିବା କ୍ଷୟକ୍ଷତି ଘଟାଇଛି। ଅଂଚଳର ଶତାଧିକ ଗ୍ରାମ୍ୟରାସ୍ତା ପାଣିରେ ବୁଡି ରହି ଗମନାଗମନ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଖରସ୍ରୋତା, କାଣୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇ ଗୋବିନ୍ଦପୁର-ମାନପୁର ରାସ୍ତାର ଡିମିରିପାଳ ମଠ ନିକଟରେ ୪ ଫୁଟର ଜଳସ୍ରୋତ ଚାଲିଥିବାରୁ ଧୋୟାଞ୍ଚଳ ୧୧ ପଞ୍ଚାୟତର ୬୦ ହଜାର ଲୋକ ଗୁରୁବାରଠାରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ଆଜି ୧୦ଟି ପଞ୍ଚାୟତରୁ ରାଜସ୍ୱ ନିରୀକ୍ଷକମାନେ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ସମୁଦାୟ ୧୯୮ କଚ୍ଚାଘର ଭାଙ୍ଗି ଥିବାର ରିପୋର୍ଟ ମିଳିଛି ବୋଲି ଆଳି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ କହିଛନ୍ତି। ବାସଗୃହ ଭାଙ୍ଗିବା ଯୋଗୁ ସଂପୃକ୍ତ ୧୦ ପଞ୍ଚାୟତର ୨୯ ହଜାର ୮୪୭ ଲୋକ ବାସହରା ହୋଇଯାଇଛନ୍ତି। ୩୪ ପଞ୍ଚାୟତରେ ପ୍ରାୟ ୧୦୦୦ ବାସଗୃହ ଭାଙ୍ଗିଥିବା ଆକଳନ କରାଯାଉଛି। କୃଷି ବିଭାଗର ସୂଚନା ଅନୁଯାୟୀ ବ୍ଲକର ୬୦୦୦ ହେକ୍ଟର ଚାଷ ଜମିରେ ଚଳିତ ବର୍ଷ ଚାଷ କରାଯାଇଥିବା ଧାନ ଫସଲ ସଂପୂର୍ଣ୍ଣ ଭାବେ ବର୍ଷା ଓ ବନ୍ୟାପାଣିରେ ବୁଡି ରହି ଉଜୁଡିବାର ଆଶଂକା ଦେଖାଦେଇଥିବା ବେଳେ ହଦୁଆ,ପାଳିମୀ, ସଂସିଧା, ଏରଡଙ୍ଗ, ମାଣିକପାଟଣାରେ ପରିବା ଚାଷ ସମୂଳେ ଉଜୁଡି ଯାଇଛି। ଲୋକେ ହାହୁତାଶ ହେଉଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟାପାଣି ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଗୋବିନ୍ଦପୁର-ମାନପୁର ରାସ୍ତାରେ ଜଳସ୍ରୋତ ଧୋୟାଞ୍ଚଳ ୧୧ ପଞ୍ଚାୟତର ୬୦ ହଜାର ଅଧିବାସୀଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରି ରଖିଛି।

ବନ୍ୟା ଆଶଂକାରେ ଧୋୟାଞ୍ଚଳ ସମେତ ଆଳିର ରିଂବନ୍ଧ ଘେରି ଭିତରେ ଥିବା ୨୦ ପଞ୍ଚାୟତବାସୀଙ୍କ ଚିନ୍ତା ମଧ୍ୟ ବଢିଯାଇଛି। ତେବେ ନଦୀବନ୍ଧର ସୁରକ୍ଷା ପାଇଁ ଦୁର୍ବଳସ୍ଥାନ ଗୁଡିକୁ ଚିହ୍ନଟ କରାଯାଇ ତଟବନ୍ଧ ବିଭାଗ ପକ୍ଷରୁ ସଜାଗ ଦୃଷ୍ଟି ରଖାଯିବା ସହିତ ରାତ୍ରି ପାଟ୍ରୋଲିଂ କରଯାଉଛି ଓ ଗତ ରାତିରେ ବାଙ୍କେଶ୍ୱର ନିକଟରେ ଏକ ଦୁର୍ବଳସ୍ଥାନକୁ ତତକାଳ ଚିହ୍ନଟ କରାଯାଇ ସୁଦୃଢ କରାଯାଇଛି ବୋଲି ଆଳି ତଟବନ୍ଧ ବିଭାଗର ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି। ଚଳିତ ବର୍ଷା ବିତ୍ପାତରେ ବାସଗୃହ ହରାଇଥିବା ବିପନ୍ନ ମାନେ ବହୁସ୍ଥାନରେ ପଡ଼େଶୀଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ଗ୍ରାମ୍ୟ ରାସ୍ତାଗୁଡିକ ବୁଡିଥିବାରୁ ଗମନାଗମନ ପାଇଁ ଚରମ ଅସୁବିଧା ଭୋଗୁଛନ୍ତି। ବହୁ ଗାଁରେ ଗମନାଗମନ ପାଇଁ କଦଳୀ ଭେଳାକୁ ଲୋକେ ଆଶ୍ରା କରିଥିବାର ଆଜି ଦେଖାଯାଇଛି। ଅପରପକ୍ଷରେ ଗୋବିନ୍ଦପୁର-ମାନପୁର ରାସ୍ତାର ବୁଡି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଡଙ୍ଗା ବ୍ୟବସ୍ଥା କରାଯାଇ ନ ଥିବାରୁ ଆଜି ଏକ ଦଦରା ମାଛଧରା ଡିଙ୍ଗିରେ ବିପଜ୍ଜନକ ଭାବେ ଲୋକ ପାରଉତାର କରାଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶାସନ ଏଠାରେ ସ୍ୱତନ୍ତ୍ର ଡଙ୍ଗା ଚଳାଚଳ ବ୍ୟବସ୍ଥା କରିବା ସହିତ ବାସହରା ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଲ ସହିତ ତୁରନ୍ତ ଘର ତିଆରି ପାଇଂ ସହାୟତା ଯୋଗାଇ ଦେବାକୁ ବିପନ୍ନମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର