ମଣ୍ଡି ଖୋଲିନାହିଁ, ଧାନ ନେଇ ଯାଉଛନ୍ତି ଆନ୍ଧ୍ର ବେପାରୀ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ୍‌ ଅଳାଇଲୋ ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଖୋଲା ଯାଇନାହିଁ । ଫଳରେ ଆଖପାଖର ଚାଷୀଙ୍କ ନିକଟରେ ଏବେ ଆନ୍ଧ୍ର ବେପାରୀଙ୍କ ଭିଡ଼ ଲାଗିଛି । ଖଳା ପାଖରେ ଟ୍ରକ୍‌ ଲଗାଇ ଏହି ବେପାରୀମାନେ ଧାନ କିଣି ନେଇ ଯାଉଛନ୍ତି ।
ଏହି ମଣ୍ଡି ଉପରେ ଦୁଇ ପଞ୍ଚାୟତର ଚାଷୀ ନିର୍ଭରଶୀଳ । କିନ୍ତୁ ଉପଯୁକ୍ତ ମଣ୍ଡି ବ୍ୟବସ୍ଥା ନ ଥିବାରୁ ସେମାନେ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳରୁ ଆସିଥିବା ଟ୍ରକ୍‌ଗୁଡ଼ିକ ଧାନ ଲୋଡ଼୍‍ କରି ଚାଲି ଯାଉଛନ୍ତି । ତେବେ ବାଧ୍ୟ ହୋଇ ସମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟଠାରୁ ଢେର କମ୍‌ରେ ଧାନ ବିକ୍ରି କରୁଛନ୍ତି । ଚାଷୀ ଜ୍ଞାନରଂଜନ ରାଉତ, ପ୍ରେମାନନ୍ଦ ସାମଲ, ରାଜ କିଶୋର ଦାସ, ପ୍ରଦୀପ ସେଠୀ, ମନୋଜ ଦାସ ପ୍ରମୁଖ ଚାଷୀ ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିବେ ବୋଲି କହିଛନ୍ତି। ସମବାୟ ବିଭାଗର କର୍ମକର୍ତା ଖୁବ୍‌ ଶୀଘ୍ର ମଣ୍ଡି ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ ହେଁ କୌଣସ ମଣ୍ଡି ଖୋଲୁନାହିଁ । ତେଣୁ ତୁରନ୍ତ ଅଳାଇଲୋରେ ମଣ୍ଡି ଖୋଲାଯାଉ ବୋଲି ସେମାନେ ଦାବି କରିଛନ୍ତି ।
ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଧାନ ଫୁଲ ଉଡ଼ାଇଲା ବେଳେ ଓ ପାଚିଲା ବେଳେ ଦୁଇ ଥର ବର୍ଷା ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏବେ ବି ବହୁ ଜମିରେ ଶୋଇ ପଡ଼ିଥିବା ଧାନ ଗଛ କାଟିବାରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ରାଜନଗର ବ୍ଲକ୍‌ ଓ ମହାକାଳପଡ଼ାର ସର୍ବାଧିକ କ୍ଷତିଗ୍ରସ୍ତ ଚାଷୀ ଗତ ୧୫ ଦିନ ମଧ୍ୟରେ ହଜାର ହଜାର କ୍ୱିଣ୍ଟାଲ ଧାନ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ବେପାରୀ କିଣି ନେଇଛନ୍ତି। ଅନ୍ୟ ଅଞ୍ଚଳରୁ ଆସୁଥିବା ଏହି ଟ୍ରକ୍‌ ଗୁଡ଼ିକରେ ଧାନ ଚାଲାଣ ହେଉଥିବା ବେଳେ ଆର୍‌ଏମ୍‌ସି ଫାଟକଗୁଡ଼ିକ ମଧ୍ୟ ରାଜସ୍ୱ ହରାଉଛନ୍ତି । ଆଉ କେତେକ ସ୍ଥାନରେ ଫାଟକରେ ନିୟୋଜିତ କେତେକ ଅସାଧୁ କର୍ମଚାରୀ ଟ୍ରକ୍‌ ଗୁଡ଼ିକରୁ ହାତଗୁଂଜା ନେଇ ସେମାନଙ୍କୁ ଛାଡ଼ି ଦେଉଛନ୍ତି । ଫଳରେ ଆର୍‌ଏମସିର ରାଜସ୍ୱ ହାନି ମଧ୍ୟ ହେଉଛି । ଏ ନେଇ ଆର୍‌ଏମ୍‌ସି ପରିଚାଳନା କମିଟି ବୈଠକରେ ମଧ୍ୟ ଉଦ୍‌ବେଗ ବ୍ୟକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର