ବ୍ରହ୍ମପୁରରେ ଜଣେ ଯୁବକ ପାଇଁ ଅଟକି ରହିଲା ଟ୍ରେନ୍‌, ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ କାବୁ କରିବା ପାଇଁ ହୋଇଗଲେ ନାକେଦମ୍‌

ବ୍ରହ୍ମପୁର: ବୁଧବାର ବ୍ରହ୍ମପୁର ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଣ୍ଟାଏ କାଳ ଜଣେ ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକକୁ କାବୁ କରିବା ପାଇଁ ନାକେଦମ ହୋଇଯାଇଥିଲେ। କେବଳ ଏତିକି ନୁହେଁ, ଏହି ଯୁବକ ପାଇଁ ଟ୍ରେନ୍‌ ଯାତ୍ରୀ ବି ହଇରାଣ ହରକତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୪ଟା ସମୟରେ ଆସାମରୁ ବ୍ରହ୍ମପୁର ଆସିଥିବା ଜଣେ ଯୁବକ ଷ୍ଟେସନର ତିନି ନମ୍ବର ପ୍ଲାଟ୍‌ଫର୍ମରେ ଥିବା ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ଖୁଣ୍ଟ ଉପରକୁ ଅଚାନକ ଚଢ଼ି ଯାଇଥିଲା। ଯୁବକକୁ ବିଦ୍ୟୁତ ଖୁଣ୍ଟ ଉପରେ ଦେଖି ଲୋକେ ପୁଲିସକୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ। କାଳେ ଯୁବକ ସହିତ କୌଣସି ଅଘଟଣ ଘଟି ଯାଇପାରେ ସେ ଆଶଙ୍କାରେ ତୁରନ୍ତ ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଇଥିଲା। ସେପଟେ ବିଦ୍ୟୁତ କାଟ ଯୋଗୁ ଟ୍ରେନ୍‌ ଚଳାଚଳ ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପ୍ରାୟ ୨ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ ପରେ ଉକ୍ତ ଯୁବକକୁ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଉଦ୍ଧାର କରିଥିଲେ। ଏହା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ତେବେ ପାରିବାରିକ କଳହ ହେତୁ ଉକ୍ତ ଯୁବକ ଜଣକ ଏଭଳି ପଦକ୍ଷେପ ନେଇ ଆତ୍ମହତ୍ୟା କରିବାକୁ ଯାଉଥିବା କଥା କହିଥିଲେ।

ସମ୍ବନ୍ଧିତ ଖବର