ବ୍ୟକ୍ତିଗତ କାରଣ ଦର୍ଶାଇ ପୁଣି ଜଣେ ଶିକ୍ଷକ ଚାକିରିରୁ ଦେଲେ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜାଲ୍‌ ପ୍ରମାଣପତ୍ରରେ ଚାକିରି କରିଥିବା ଶିକ୍ଷକଙ୍କ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୬ ଜଣ ଜାଲ୍‌ ଶିକ୍ଷକ ଧରାପଡ଼ିଲେଣି। ଅନ୍ୟପକ୍ଷରେ ଜାଲ୍‌ ଶିକ୍ଷକ ତାଲିକା ଲମ୍ବିବାରେ ଲାଗିଛି। ଅଲ୍‌ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ପକ୍ଷରୁ ପୁଣି ୩୯ଜଣ ଶିକ୍ଷକଙ୍କ ବିରୋଧରେ ଏଭଳି ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ବ୍ୟକ୍ତିଗତ କାରଣ ଦର୍ଶାଇ ଧରାକୋଟ ବ୍ଲକ୍‌ ରୁଗୁମୁ କ୍ଲଷ୍ଟର ସିଆରସିସି ତଥା କେନ୍ଦୁପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଗଙ୍ଗାଧର ସେଠୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଫରୱାର୍ଡ଼ ବ୍ଲକ୍‌ ଆଣିଥିବା ଅଭିଯୋଗରେ ଗଙ୍ଗାଧରଙ୍କ ନାମ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୭୧ ଜଣ ଶିକ୍ଷକ ଜାଲ୍‌ ପ୍ରମାଣପତ୍ରରେ ଚାକିରି କରିଥିବା ନେଇ ଦୁଇଟି ପର୍ଯ୍ୟାୟରେ ଫରୱାର୍ଡ଼ ବ୍ଲକ୍‌ ଅଭିଯୋଗ ଆଣିଥିଲା। ଏବେ ପୁଣି ତୃତୀୟ ପର୍ଯ୍ୟାୟରେ ଆଉ ୩୯ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛି। ଧରାକୋଟ ବ୍ଲକର ୩ଜଣ, ବେଗୁନିଆପଡ଼ାର ୧୦ଜଣ, ପୋଲସରା ବ୍ଲକର ୮ଜଣ, ପୁରୁଷୋତ୍ତମପୁର ବ୍ଲକରେ ୫ଜଣ, ସୋରଡ଼ା ବ୍ଲକରେ ଜଣେ ଏବଂ କବିସୂର୍ଯ୍ୟନଗର ବ୍ଲକରେ ୧୨ଜଣ ଶିକ୍ଷକ ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ଚାକିରି କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୬ଜଣ ଜାଲ୍‌ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଧରା ପଡ଼ିଥିବା ଶିକ୍ଷକଙ୍କ ମଧ୍ୟରୁ ୨ଜଣ ଚାକିରିରୁ ଇସ୍ତଫା ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍କୁଲରେ କାର୍ଯ୍ୟ କରୁଥିବା ୧୦ ଜଣ ଶିକ୍ଷକ ବିଭିନ୍ନ କାରଣ ଦର୍ଶାଇ ଆଗୁଆ ଇସ୍ତଫା ଦେଇ ସାରିଲେଣି। ବିଭିନ୍ନ କାରଣରୁ ଇସ୍ତଫା ଦେଇଥିବା ଶିକ୍ଷକଙ୍କ ସଂଖ୍ୟା ବର୍ତ୍ତମାନ ୧୨ରେ ପହଁଞ୍ଚିଛି।

ସମ୍ବନ୍ଧିତ ଖବର