ବକ୍ସାଇଟ୍‌ ବୋଝେଇ ଟିପ୍ପର ଓଲଟିଲା

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ନିକଟସ୍ଥ କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ନେଇ ଏକ ଟିପ୍ପର କାକିରିଗୁମ୍ମା ଆଡକୁ ଯାଉଥିବା ବେଳେ ଡୁମୁରିପଦର ଯାତ୍ରୀ ବିଶ୍ରାମଗାର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଟିପ୍ପର ପ୍ରଥମେ ଡୁମୁରିପଦର ଛକରେ ଥିବା ଯାତ୍ରୀବିଶ୍ରାମଗାରକୁ ଧକ୍କା ଦେବା ପରେ ରାସ୍ତା କଡରେ ଥିବା ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଏହାପରେ ରାସ୍ତାକଡରେ ଥିବା ଠଣ ସୁନ୍ଦର ବିଷୋଇଙ୍କ ଚା ଦୋକାନ ସମ୍ମୁଖରେ ଓଲଟି ପଡିଥିଲା। ତେବେ ଠଣ ସୁନ୍ଦର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଦୋକାନର ସମ୍ମୁଖଭାଗ ଭାଙ୍ଗିଯିବା ସହ ଜିନିଷପତ୍ର ନଷ୍ଟ ହୋଇଥିବା ଜଣାପଡିଛି। ଟିପ୍ପର ଯାତ୍ରୀ ବିଶ୍ରାମଗାରକୁ ଧକ୍କା ଦେବା ସମୟରେ ଉପର ମହଲାରେ ଥିବା ୧୦ରୁ ୧୨ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଏହି ଘଟଣା ପରେ ଡୁମୁରିପଦର ଗ୍ରାମବାସୀ ଗାଁ ଛକରେ ହମ୍ପ୍‌ସ ନିର୍ମାଣ ଦାବି କରି ବକ୍ସାଇଟ୍‌ ବୋଝେଇ ସମସ୍ତ ଗାଡି ଗୁଡିକୁ ଅଟକାଇ ରଖିଥିଲେ। ଜିଲ୍ଲାପାଳଙ୍କ ଅନୁମତି ନେଇ ହମ୍ପ୍‌ସ ନିର୍ମାଣ କରାଯିବା ସକାଶେ ପ୍ରତିଶ୍ରୁତି ମିଳିବା ପରେ ସମସ୍ତ ଗାଡି ଗୁଡିକୁ ଛାଡିଥିଲେ। ପ୍ରକାଶ ଥାଉକି, କୋଡିଙ୍ଗାମାଳିରୁ ପ୍ରତ୍ୟକ ଦିନ ପ୍ରାୟ ୨ଶହରୁ ଉର୍ଧ ଟିପ୍ପର କାକିରିଗୁମ୍ମା ଆଡକୁ ବକ୍ସାଇଟ୍‌ ନେଇ ଯାଉଛି। ତେବେ ପରିବହନ ଅନୁସାରେ ଭଡା ଦିଆଯାଉଥିବାରୁ ନିୟନ୍ତ୍ରଣରୁ ବାହାରେ ଟିପ୍ପର ଗୁଡିକ ଦ୍ରୁତଗତିରେ ଚାଳନା କରୁଛନ୍ତି। ଏପରିକି କିଛି ଟିପ୍ପର ନିଉଟ୍ରାଲ କରି ଘାଟି ଓଲ୍ଲାଉଥିବାରୁ ଏହା ଉପରେ ରୋକ ଲଗାଇବା ସକାଶେ ଦାବି କରାଯାଇଛି। ଏନେଇ ମାଇନ୍‌ସ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ଯେ କିଛି ଦିନ ମଧ୍ୟରେ ସମସ୍ତ ଟିପ୍ପର ଗୁଡିକର ସିରିଏଲ୍‌ ନମ୍ବର କରାଯିବ ଓ ଦ୍ରୁତଗତିରେ ଯିବାଆସିବା କରୁଥିବା ଗାଡି ଗୁଡିକର ଲିଜ୍‌ ବାତିଲ୍‌ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର