କୀଟନାଶକ ନେଲା ୨ ଜୀବନ ବିଲୁଟରେ ଯୁବକ, ଦୁଲୁଦୁଲିଗୁଡାରେ ନବବଧୂ ଜୀବନ ହାରିଲେ

ରାୟଗଡା: କୀଟନାଶକ ପିଇ ରାୟଗଡା ଜିଲ୍ଲାର ଶେଷଖାଲ ଓ କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଜଣେ ଯୁବକ ବିଶ ପିଇଥିବା ନେଇ ଜଣା ପଡିଥିବା ବେଳେ ଯୌତୁକ ଯନ୍ତ୍ରଣାରେ ନବବଧୂକୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଶେଷଖାଲ ଥାନା ବିଲୁଟ ଗ୍ରାମର ନାଗେଶ ହିମିରିକା (୩୦)। ଗତକାଲି ଅପରାହ୍ନରେ ଯୁବକ ଜଣଙ୍କ କୌଣସି କାରଣକୁ ନେଇ ବିଷ ପିଇ ଦେଇଥିଲେ। ପରିବାର ଲୋକ ଘଟଣା ସଂପର୍କରେ ଜାଣିବା ପରେ ସଂଗେ ସଂଗେ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ନାଗେଶଙ୍କ ମୃତ୍ୟୁ ହୋଇଥିଲା। ଶେଷଖାଲ ଥାନା ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ସେହିପରି କଲ୍ୟାଣସିଂହପୁର ଥାନା ଦୁଲୁଦୁଲିଗୁଡା ଗ୍ରାମର ନବବଧୂ ଯମୁନା ପୂଜାରୀ (୨୬) ଗତକାଲି ବିଷ ପିଇ ଗୁରୁତର ହୋଇ ପଡିଥିଲେ। କଲ୍ୟାଣସିଂହପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଯମୁନାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଯମୁନାଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ କହିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବେଳେ ଯମୁନାଙ୍କ ବାପା ଶ୍ୟାମ ଦଳେଇ ଯୌତୁକ ପାଇଁ ଶାଶୂ ଘର ଲୋକେ ଯମୁନାଙ୍କୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପୁଲିସ୍ ଉଭୟ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର