ମା’ ସାମ୍ନାରେ ଚାଲିଗଲା ପୁଅର ଜୀବନ

ରାୟଗଡା: ତୀର୍ଥ ସାରି ରାୟଗଡା ଫେରିଥିବା ମା’କୁ ଆଣିବାକୁ ଯାଇ ଦୁର୍ଘଟଣାରେ ଆଖି ବୁଜିଛି ପୁଅ।ଭୋରରେ ରାୟଗଡା ସହର ଗଙ୍ଗା ଗ୍ୟାରେଜ୍ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମା’, ପୁଅ ମିଶି ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍ ପଛ ପଟୁ ଧକ୍କା ଦେବା ଯୋଗୁ ମା’ ଆଖି ଆଗରେ ଚାଲିଯାଇଛି ପୁଅର ଜୀବନ। ଟାଉନ୍ ଥାନା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ସମେତ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ରାୟଗଡା ସହରର କସ୍ତୁରୀ ନଗର ୯ମ ଲାଇନର ଭାସ୍କର ନାୟକ। ଗତ କିଛି ଦିନ ହେଲା ଭାସ୍କରଙ୍କ ମା’ ତୀର୍ଥ ଯାତ୍ରା କରିବାକୁ ବାହାରକୁ ଯାଇଥିଲେ। ଟ୍ରେନ୍ ଯୋଗ‌େ ଆଜି ରାୟଗଡା ଫେରିବା ପରେ ଭାସ୍କର ମା’ଙ୍କୁ ଆଣିବା ପାଇଁ ଷ୍ଟେସନ ଯାଇଥିଲେ। ଷ୍ଟେସନରୁ ମା’, ପୁଅ ମିଶି ଘରକୁ ଫେରୁଥିବା ବେଳେ ଗଙ୍ଗା ଗ୍ୟାରେଜ୍ ନିକଟରେ ଏକ ଟ୍ରକ୍ ନଂ-ଓଡି ୧୭ଇ-୦୪୪୪ ଭାରସାମ୍ୟ ହରାଇ ଭାସ୍କରଙ୍କୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ଭାସ୍କର ରାସ୍ତା ଉପରେ ଛିଟିକି ପଡ଼ିବା ପରେ ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଭାସ୍କରଙ୍କ ମୃତ୍ୟୁ ହୋଇଥିଲା। ଆଖି ଆଗରେ ପୁଅର ଜୀବନ ଚାଲିଯିବା ଦେଖି ମା’ ହତବାକ୍ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକ ଦୌଡ଼ି ଆସି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଅଟକାଇ ଥିଲେ। ଚିକିତ୍ସା ଆଶାରେ ଭାସ୍କରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୁଲିସ୍ ହସ୍ତାନ୍ତର କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର