ଗୁଣି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା:ନାବାଳକ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ କିତୁଂ ଟ୍ରିପଲ ମର୍ଡର ଘଟଣାର ନାବାଳକ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି। ରାୟଗଡା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡର ବିଚାରପତି ଡ. ଇନ୍ଦୁ ଶର୍ମା ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ପ୍ରତ୍ୟେକ୍ଷ ଭାବେ ନାବାଳକ ଏହି ଘଟଣାରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲେ। ତେଣୁ ୩ବର୍ଷ କାରାଦଣ୍ଡ ନିମନ୍ତେ ନିର୍ଦେଶ ଦେଇଛନ୍ତି। ତେଣୁ ମାମଲାର ବିଚାର ପାଇଁ ଗତକାଲି କୋର୍ଟରେ ହାଜର କରାଯାଇଥିବା ନାବାଳକକୁ ରାୟ ପ୍ରକାଶ ପରେ ପୁଣି ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଛି।
ସୂଚନାଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ମାସ ୯ତାରିଖ ଦିନ କିତୁଂ ଗାଁର ଅସୀମ ଶବର, ପତ୍ନୀ ଆମ୍ବଏ ଶବର ଏବଂ ବଡ଼ଝିଅ ଅସମଣି ଶବରଙ୍କୁ ଗୁଣି ସନ୍ଦେହରେ ଯନ୍ତ୍ରଣା ଦେଇ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ କରିବାକୁ ଶବକୁ ପୋଡି ଦେଇ ପୋତି ଦିଆଯାଇଥିଲା। ଘଟଣାର ପ୍ରାୟ ସପ୍ତାହ ପରେ ଘଟଣାର ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀ ତଥା ଅସୀମ ଶବରଙ୍କ ମଝିଆ ଝିଅ ମଳିତ ଶବ ଥାନାରେ ଅଭିଯୋଗ କରିଥିଲେ। ପର୍ଯ୍ୟାୟକ୍ରମେ ପୁଲିସ ଘଟଣାରେ ସଂପୃକ୍ତ ୧୦ଜଣଙ୍କୁ ଗିରଫ କରିଥିଲା। ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବାରୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଯାଇଥିବା ବେଳେ ଅନ୍ୟମାନେ ଗୁଣପୁର ଉପକାରାଗାରରେ ରହିଥିଲେ। ମାମଲାର ଶୁଣାଣି ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହୋଇଥିଲା। ଗତମାସ ୧୩ତାରିଖ ଦିନ ରାୟ ପ୍ରକାଶ କରାଯାଇ ୯ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡ ଦିଆଯାଇଛି। ଏହାପରେ ନାବାଳକ ଅଭିଯୁକ୍ତର ଶୁଣାଣି ଆରମ୍ଭ ହୋଇଥିଲା। ଗତକାଲି ରାୟଗଡା ଜିଲ୍ଲା ଜୁଭେନାଇଲ ଜଷ୍ଟିସ୍‌ କୋର୍ଟରେ ହାଜର କରାଯାଇଥିଲା। ବର୍ତମାନ ସାବଳକ ହୋଇଯାଇଥିବା ଅଭିଯୁକ୍ତ ଜଣକ ଘଟଣା ସମୟରେ ନାବାଳକ ରହିଥିଲା। ତେଣୁ ଆଇନର ସବୁ ଦିଗକୁ ବିଚାର କରି ବିଚାରପତି ଡ. ଇନ୍ଦୁ ଶର୍ମା ବାଳ ଅପରାଧୀଙ୍କ ପାଇଁ ରହିଥିବା ସର୍ବାଧିକ ଦଣ୍ଡ ସ୍ୱରୂପ ୩ବର୍ଷ କାରାଦଣ୍ଡ ନିମନ୍ତେ ନିର୍ଦେଶ ଦେଇଥିଲେ। ପୂର୍ବରୁ ନାବାଳକ ଅଭିଯୁକ୍ତ ଗିରଫ ପରେ ପ୍ରାୟ ଦେଢ ବର୍ଷ ଧରି ବ୍ରହ୍ମପୁର ବାଳ ସୁଧାର ଗୃହରେ ରହିଥିଲା। ତେଣୁ ବଳକା ଦେଢ ବର୍ଷ ମଧ୍ୟ ସୁଧାର ଗୃହରେ ରହିବା ପରେ ଖଲାସ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର