ଦେଶଦ୍ରୋହ!

ଭାରତରେ ମୁସଲମାନ ବ୍ୟାପାରରେ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ‘‘ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ’’ ଦେଶର ସମସ୍ତ ଜିଲ୍ଲାରେ ‘ଦାରୁଲ୍‌-କାଜା’ ବା ସାରିଆ ଅଦାଲତ ମାନ ସ୍ଥାପନ କରିବା ପାଇଁ ଯୋଜନା ଆରମ୍ଭ କରିଛି। ଜୁଲାଇ ୧୫ ତାରିଖରେ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମୁସ୍‌ଲିମ୍‌ ଲ’ ବୋର୍ଡ ମିଟିଂରେ ଏ ସମ୍ପର୍କରେ ଆଗତ ପ୍ରସ୍ତାବର ବିଧିବଦ୍ଧ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡର ଜଣେ ବରିଷ୍ଠ ସଦସ୍ୟଙ୍କ ଉକ୍ତି ଅନୁସାରେ ଉତ୍ତରପ୍ରଦେଶରେ ବର୍ତ୍ତମାନ ୪୦ଟି ଏଭଳି ସାରିଆ ଅଦାଲତ କାର୍ଯ୍ୟ କରୁଛି। ସେମାନେ ଏହାକୁ ସାରା ଦେଶରେ ସମ୍ପ୍ରସାରିତ କରିବାକୁ ଏବେ ଚାହୁଁଛନ୍ତି। ଏହା ମଧ୍ୟ କେବଳ ଏକ କଳ୍ପନା ବିଳାସ ଯେ ନୁହେଁ, ତାହାର ପ୍ରମାଣ ସ୍ୱରୂପ ଦିଲ୍ଲୀରେ ସେଦିନ ଯାହା ସବୁ ଆଲୋଚିତ ହେବ, ସେଥିରେ ଅନ୍ତର୍ଭୁକ୍ତ ଅଛି ସାରିଆ ଅଦାଲତ ମାନଙ୍କର ସ୍ଥାପନା ଓ ପରିଚାଳନା ନିମିତ୍ତ ଆବଶ୍ୟକ ସମ୍ବଳର ବ୍ୟବସ୍ଥା। ସେମାନେ ଅନୁମାନ କରୁଛନ୍ତି ଯେ ଗୋଟିଏ ସାରିଆ ଅଦାଲତ ଚଳାଇବା ପାଇଁ ପ୍ରାୟ ୫୦,୦୦୦ ଟଙ୍କା ଆବଶ୍ୟକ ହେବ। ଏଣୁ ଦେଶବ୍ୟାପୀ ସାରିଆ ଅଦାଲତ ଛାଇ ଦେବା ପାଇଁ କେତେ ସମ୍ବଳ ଦରକାର ହେବ, ସେ ସମ୍ବନ୍ଧରେ ସେମାନେ ନିଶ୍ଚିତ ଏବଂ ତାହା ଯୋଗାଡ଼ କରିବା ପାଇଁ ପ୍ରସ୍ତୁତ ମଧ୍ୟ। ଓକିଲ, ଜଜ୍‌ ଏବଂ ସାଧାରଣ ଲୋକମାନଙ୍କୁ ସାରିଆ ଆଇନ ସମ୍ବନ୍ଧରେ ସଚେତନ କରିବା ପାଇଁ ତଫ୍‌ହିମ୍‌-ଏ-ସାରିୟତ୍‌ (ଟିଇଏସ୍‌) କମିଟିମାନଙ୍କୁ ସକ୍ରିୟ କରାଯିବାର ପ୍ରସ୍ତାବ ରହିଛି।

ଏହାର ଅର୍ଥ ଭାରତରେ ମୁସଲମାନମାନଙ୍କ ପାଇଁ ଏକ ସମାନ୍ତରାଳ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ମୁସଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ ବର୍ତ୍ତମାନ ବଦ୍ଧପରିକର ଥିବା ପରି ମନେ ହେଉଛି। କୋରାନ୍‌ର ବାଣୀ ଉପରେ ପ୍ରତିଷ୍ଠିତ ସାରିଆ ଆଇନ ଜଣେ ମୁସଲମାନ ବ୍ୟକ୍ତିଙ୍କର ପ୍ରତ୍ୟେକ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ। ଏହା ସମସ୍ତ ଆଚରଣକୁ ପାଞ୍ଚ ଶ୍ରେଣୀରେ ବିଭକ୍ତ କରିଥାଏ। ସେଗୁଡ଼ିକ ହେଲା: ବାଧ୍ୟତାମୂଳକ, ଅନୁମୋଦିତ, ଅନୁମତିପ୍ରାପ୍ତ, ଅବାଞ୍ଛନୀୟ ଏବଂ ନିଷିଦ୍ଧ। ଯେମିତି, ଏହି ନିୟମାବଳୀ ଅନୁସାରେ କୌଣସି ଖାଦ୍ୟ ‘ହାରାମ୍‌’ (ନିଷିଦ୍ଧ) ହୋଇପାରେ, ତ କୌଣସି ଖାଦ୍ୟ ‘ହଲାଲ୍‌’ (ଅନୁମୋଦିତ) ହୋଇପାରେ। ସମସ୍ତ ଫଳ, ପରିବା, ସାମୁଦ୍ରିକ ଖାଦ୍ୟ, ଶସ୍ୟ ଆଦି ‘ହଲାଲ୍‌’ ହୋଇଥିବା ବେଳେ ଇସଲାମୀୟ ନିୟମ ଅନୁଯାୟୀ ବଧ କରାଯାଇ ନଥିବା ଜୀବର ମାଂସ ହେଉଛି ‘ହାରାମ୍‌’।

ଅପରାଧ ସମ୍ପର୍କିତ ସାରିଆ ଆଇନ ହେଉଛି ଅତ୍ୟନ୍ତ ମୌଳିକ ଶ୍ରେଣୀର ଏବଂ କଠୋର। କେତୋଟି ଉଦାହରଣ ଏ ସମ୍ପର୍କରେ ଆଲୋକପାତ କରିବା ପାଇଁ ଯଥେଷ୍ଟ ହେବ। ‘ଚୋରି’ ଅପରାଧ ପାଇଁ ସାରିଆ ଅନୁସାରେ ଦଣ୍ଡ ହେଉଛି ଚୋରର ହାତ କାଟି ଦିଆଯିବା- ଅର୍ଥାତ୍‌ ଯେଉଁ ହାତ ସାହାଯ୍ୟରେ ଚୋରି କରାଯାଇଛି ସେଇ ହାତର ଛେଦନ। ଅନ୍ୟ କେତେକ ଅପରାଧ ଓ ଦଣ୍ଡର ତାଲିକା ଏଇଭଳି: ସମଲିଙ୍ଗୀ ଯୌନ ସମ୍ପର୍କ-ମୃତ୍ୟୁଦଣ୍ଡ; ଅବୈଧ ଯୌନ ସମ୍ପର୍କ ସମ୍ବନ୍ଧରେ ଅପ୍ରମାଣିତ ଅଭିଯୋଗ- ୮୦ ବେତ ପାହାର, ପରକୀୟା ପ୍ରୀତି କିମ୍ବା ଅବୈଧ ଯୌନକ୍ରିୟା- ଟେକାମାଡ଼ ଦ୍ୱାରା ମୃତ୍ୟୁ କିମ୍ବା ୧୦୦ ବେତ ପାହାର; ମଦ୍ୟ ବା ନିଶାଦ୍ରବ୍ୟ ସେବନ- ୮୦ ବେତ ପାହାର; ଧର୍ମାନ୍ତର କିମ୍ବା ଧର୍ମଦ୍ରୋହ- ମୃତ୍ୟୁଦଣ୍ଡ। ସୂଚନାଯୋଗ୍ୟ ଉପରୋକ୍ତ ଅପରାଧମାନ ହେଉଛନ୍ତି ସାରିଆ ଅନୁସାରେ ‘ହଜ୍‌ଦ’ ଶ୍ରେଣୀର ବା ଅତ୍ୟନ୍ତ ଗୁରୁତର ଅପରାଧ, ଯାହା ପାଇଁ ଦଣ୍ଡ ଉପର ମତେ ପୂର୍ବ ନିର୍ଦ୍ଦିଷ୍ଟ। ଏଗୁଡ଼ିକଠାରୁ କମ୍‌ ଗୁରୁତର ରୂପେ ବିବେଚିତ ‘ତାଜିର୍‌’ ଶ୍ରେଣୀର ଅପରାଧ ପାଇଁ ଦଣ୍ଡ ନିର୍ଦ୍ଧାରଣ ସମ୍ପୃକ୍ତ ବିଚାରପତିଙ୍କ ଉପରେ ଛାଡ଼ି ଦିଆ ଯାଇଥାଏ। ବିଚାରପତି ଏ ଶ୍ରେଣୀର ଅପରାଧ ପାଇଁ ମୃତ୍ୟୁଦଣ୍ଡରୁ ଆରମ୍ଭ କରି ଅର୍ଥଦଣ୍ଡ, କାରାଦଣ୍ଡ କିମ୍ବା ବେତ୍ରାଘାତ ପର୍ଯ୍ୟନ୍ତ ଦଣ୍ଡଦାନ କରିପାରିବେ।

କହିବା ବାହୁଲ୍ୟ ଯେହେତୁ ସାରିଆ ଆଇନ୍‌ ଜଣେ ଇସଲାମ ଧର୍ମାବଲମ୍ବୀଙ୍କର ସମସ୍ତ କାର୍ଯ୍ୟ ଓ ଆଚରଣକୁ ନିୟନ୍ତ୍ରିତ କରିଥାଏ, ଯଦି କୌଣସି ଦେଶରେ ସେ ସବୁକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ କିଛି ଆଇନ କାର୍ଯ୍ୟ କରୁଥାଏ, (ଯେମିତି ଉଦାହରଣ ସ୍ୱରୂପ ଉପରଲିଖିତ ଅପରାଧ ମାନ ପାଇଁ ଭାରତରେ ଭାରତୀୟ ପିଙ୍ଗଳ କୋଡ୍‌ ‘ଆଇପିସି’ କିମ୍ବା ଫୌଜଦାରୀ ଦଣ୍ଡବିଧି ‘ସିଆର୍‌ପିସି’ ରହିଛି), ତେବେ ଉଭୟ ଆଇନ ବ୍ୟବସ୍ଥା ମଧ୍ୟରେ ସଂଘାତ ସୃଷ୍ଟି ହେବା ସ୍ୱାଭାବିକ। ଏହାର ଏକ ରୋଚକ ଉଦାହରଣ ଗତବର୍ଷ ଦେଖିବାକୁ ମିଳିଥିଲା ମୁସଲମାନ ଦେଶ ଇଣ୍ଡୋନେସିଆରେ। ସେଠାରେ ଜାକର୍ତ୍ତାର ଗଭର୍ଣ୍ଣର ଥିବା ଚୀନା ମୂଳର ଜଣେ ଖ୍ରୀଷ୍ଟିଆନ୍‌, ବାସୁକି ପୁର୍ଣ୍ଣାମା (ଆହୋକ୍‌), ନିର୍ବାଚନ ପ୍ରଚାର ସମୟରେ କୋରାନ୍‌ର ବିରୋଧାଚରଣ କରିଥିବା ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗିବା ସହିତ ନିର୍ବାଚନରେ ପରାଜିତ ହୋଇ କ୍ଷମତାଚ୍ୟୁତ ହୋଇଥିଲେ। କୋରାନ୍‌ରେ କୁହାଯାଇଛି ଯେ ମୁସଲମାନମାନେ କୌଣସି ଅଣମୁସଲମାନ ବା କାଫେର୍‌ର ଶାସନାଧୀନ ହୋଇପାରିବେ ନାହିଁ। ଆହୋକ ଏହା ମିଥ୍ୟା ବୋଲି କହିବାରୁ ଏଭଳି ଦଶା ଭୋଗିଥିଲେ। ଆଶ୍ଚର୍ଯ୍ୟର ବିଷୟ ଲକ୍ଷ ଲକ୍ଷ ମୁସଲମାନ ଶରଣାର୍ଥୀ ଇଉରୋପ୍‌ର ଖ୍ରୀଷ୍ଟିଆନ୍‌ ଦେଶମାନଙ୍କରେ ଆଶ୍ରୟ ଭିକ୍ଷା କରିବା ଦୃଶ୍ୟ ବିଗତ ବର୍ଷ ମାନଙ୍କରେ ଏକ ନିୟମିତ ଟେଲିଭିଜନ୍‌ ଚିତ୍ରରେ ପରିଣତ ହୋଇଛି। ସପ୍ତମ ଶତାବ୍ଦୀର ସାରିଆ ଆଇନ ଯେ ଆଧୁନିକ ସମୟ ସହିତ ସମ୍ପୂର୍ଣ୍ଣ ବେଖାପ ହୋଇସାରିଛି, ତାହାର ଏହାଠାରୁ ଅଧିକ ଶକ୍ତିଶାଳୀ ପ୍ରମାଣ ଆଉ କ’ଣ ହୋଇପାରେ?

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଉଭୟ ମୁସଲମାନ ମହିଳା ସଂଗଠନମାନ ଏବଂ ସଂଖ୍ୟାନ୍ୟୂନ ସିଆ ସମ୍ପ୍ରଦାୟର ମୁସଲମାନମାନେ ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶରେ ସମାନ୍ତରାଳ ଇସ୍‌ଲାମୀୟ କୋର୍ଟ ମାନ ସ୍ଥାପନ କରିବା ପଛରେ ନିହିତ ଉଦ୍ୟୋକ୍ତାମାନଙ୍କର ଦୁଷ୍ଟ ବୁଦ୍ଧିର ନିନ୍ଦା କରିବା ଦେଖାଯାଇଛି। ବହୁଚର୍ଚ୍ଚିତ ତିନି ତଲାକ୍‌ ମାମଲାରେ ପକ୍ଷଭୁକ୍ତ ହୋଇଥିବା ‘ଭାରତୀୟ ମୁସ୍‌ଲିମ୍‌ ମହିଳା ଆନ୍ଦୋଳନ’ର ଅନ୍ୟତମ ନେତ୍ରୀ ଜାକିଆ ସୋମନ୍‌ କହିଛନ୍ତି ସମ୍ପୂର୍ଣ୍ଣ ଅଦରକାରୀ ହୋଇ ପଡ଼ିଥିବା ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ କୌଣସି ମତେ ପ୍ରାସଙ୍ଗିକ ରହିବା ଉଦ୍ଦେଶ୍ୟରେ ଏ ଉଦ୍ୟମ ଆରମ୍ଭ କରିଛି। ସେ ମଧ୍ୟ କହିଛନ୍ତି ଏବେ ଯେଉଁ ସାରିଆ କୋର୍ଟ ମାନ ରହିଛନ୍ତି ସେଠାକୁ ମହିଳାମାନେ କେବେ ଯାଆନ୍ତି ନାହିଁ ଏବଂ ସେମାନେ କେବଳ ପୁରୁଷମାନଙ୍କର ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରିଥାଆନ୍ତି। ନଚେତ୍‌, ଶାହବାନୋରୁ ତିନି ତଲାକ୍‌ ପର୍ଯ୍ୟନ୍ତ ମହିଳା ସ୍ୱାର୍ଥରକ୍ଷାକାରୀ ମାମଲାମାନ ସୁପ୍ରିମ୍‌ କୋର୍ଟକୁ ଯାଇଥାନ୍ତା କାହିଁକି? ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ଓ୍ଵିମେନ୍‌ ଲ’ ବୋର୍ଡ୍‌ ସଭାନେତ୍ରୀ ସାହିସ୍ତୀ ଆମ୍ବର ମଧ୍ୟ ସାରିଆ କୋର୍ଟ ସ୍ଥାପନ ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେହିପରି ସିଆ ଓ୍ଵାକଫ୍‌ ବୋର୍ଡର ଚେଆର୍‌ମ୍ୟାନ୍‌ ଓ୍ଵାସିମ୍‌ ରିଜ୍‌ଭି ଏହି ହୀନ ଉଦ୍ୟମର ନିନ୍ଦା କରି କହିଛନ୍ତି ଯେ ଭାରତରେ ଏକ ସମ୍ବିଧାନ ରହିଛି ଏବଂ ସେଇ ଅନୁସାରେ ଆଇନ ଶୃଙ୍ଖଳା କାର୍ଯ୍ୟ କରୁଛି; ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡର ଉଦ୍ୟମ ଦେଶର ଉତ୍ତମ ସଂହତି ଧ୍ୱଂସ କରି ସବୁଠାରେ କଶ୍ମୀର ଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ଯଦି ଏହି ଲ’ବୋର୍ଡ ସାରିଆ କୋର୍ଟ ପ୍ରତିଷ୍ଠା କରେ, ସେ ବୋର୍ଡକୁ ସରକାର ନିଷିଦ୍ଧ କରିବା ପାଇଁ ରିଜ୍‌ଭି ଆହ୍ଵାନ ଦେଇଛନ୍ତି। ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡର ଏ କାର୍ଯ୍ୟ ଦେଶଦ୍ରୋହ ସହ ସମାନ।

ସମ୍ବନ୍ଧିତ ଖବର