ଦର୍ଶକଙ୍କୁ ଖୁବ୍ ଶୀଘ୍ର ସର୍‌ପ୍ରାଇଜ୍‌ ଦେବେ ଓଲିଡଡ୍ ନାୟିକା ଭୂମିକା, ଜାଣନ୍ତୁ ଏଇ ସର୍‌ପ୍ରାଇଜ୍‌ କ’ଣ !

ପିଲାବେଳୁ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିବା ଭୂମିକା ଏବେ ଓଲିଉଡ଼ରେ ନିଜର ସ୍ଥାନ ସୃଦୁଢ଼ କରିବା ଆରମ୍ଭ କରି ସାରିଛନ୍ତି । ପ୍ରଥମ ଥର ପାଇଁ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରି’ରେ ଜଣେ ନାୟିକା ଭାବରେ ନଜର ଆସିଥିବା ଭୂମିକାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ । ଏହା ପରେ ସେ ନଜର ଆସିଥିଲେ ବାବୁସାନଙ୍କ ସହ ଫିଲ୍ମ ‘ହିରୋ ନମ୍ବର ଓ୍ଵାନ’ରେ । ତାଙ୍କୁ କେତେକ ଫିଲ୍ମର ଅଫର ମିଳିଥିଲେ ମଧ୍ୟ ଦଶମ ବୋର୍ଡ଼ ପରୀକ୍ଷା ପାଇଁ ସେ କିଛି ଦିନ ପର୍ଯ୍ୟନ୍ତ ଫିଲ୍ମରୁ ନିଜକୁ ଦୂରରେ ରଖିଛନ୍ତି । ପୁଣି କେବେ ସେ ଅଭିନୟ ଜଗତକୁ ଫେରିବେ ସେ ବିଷୟରେ ଜଣିବା ପାଇଁ ‘ସମ୍ବାଦ ଡଟ୍‌ ଇନ୍‌’ ପକ୍ଷରୁ ସାକ୍ଷାତ କରିଥିଲେ ମୋନାଲିସା ପରିଡ଼ା ଏବଂ ସୁମନ ମହାନ୍ତି ।

ଏତେ କମ ବୟସରୁ ଆପଣ ଅଭିନୟ ଜଗତରେ ପାଦ ରଖିଛନ୍ତି । ଛୋଟ ବେଳୁ ଆପଣଙ୍କର ଅଭିନୟ କରିବାର ଇଚ୍ଛା ଥିଲା କି ?
-ନାଁ । ଏ ଲାଇନ୍‌କୁ ଆସିବାର ସେମିତି କିଛି ଇଚ୍ଛା ନଥିଲା କି ଯୋଜନା ମଧ୍ୟ ନଥିଲା । ଏଇଟା ହଉ ହଉ ହୋଇ ଯାଇଥିଲା ।
ପ୍ରଥମ ଫିଲ୍ମର ଅଫର ଆପଣଙ୍କୁ କେମିତି ମିଳିଥିଲା ?
– ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରବୀନ୍ଦ୍ର ମଣ୍ଡପରେ ପୁରସ୍କାର ଦେବାର କାର୍ଯ୍ୟକ୍ରମ ରଖା ଯାଇଥିଲା । ସେଠାକୁ ମୁଁ ମୋର ଓଡ଼ିଶୀ ଗ୍ରୁପ୍‌ ଏବଂ ମୋର ପରିବାର ସହ ଯାଇଥିଲି । ସେଠାରେ ସାଇ ଭାଇ ବୋଲି ଜଣେ ଆସି ମୋ ବାପା କାହାନ୍ତି ବୋଲି ପଚାରିଥିଲେ । ଏହା ପରେ ସେ ମୋ ବାପାଙ୍କୁ ଦେଖା କରି ଫିଲ୍ମ ‘ରୁମ୍‌କୁ ଝୁମାନା’ର କାହାଣୀ ବିଷୟରେ ଜଣାଇଥିଲେ । ଯଦି ଆପଣଙ୍କର ଇଚ୍ଛା ଅଛି ତା ହେଲେ ଅଡ଼ିସନ୍‌ ଦେଇ ପାରନ୍ତି ବୋଲି କହିଥିଲେ । ଏ ନେଇ ମୋ ବାପାଙ୍କ ଅନୁମତି ମିଳିବା ପରେ ମୁଁ ଅଡ଼ିସନ୍‌ ଦେଇଥିଲି ଏବଂ ମତେ ସେହି ଚରିତ୍ରଟି ମିଳିଥିଲା ।
ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରି’ର ଅଫର ଆପଣଙ୍କୁ କିପରି ମିଳିଥିଲା?
-‘ରୁମ୍‌କୁ ଝୁମାନା’ର ସଫଳତା ପରେ ଦିନେ ତରଙ୍ଗ ସିନେ ପ୍ରଡ଼କ୍ସନ୍‌ରୁ ମୋତେ ଫୋନ ଆସିଥିଲା । ମୁଁ ଭାବିଥିଲି ଗୋଟେ ଶିଶୁ କଳାକାରର ଚରିତ୍ର ଥିବ । କିନ୍ତୁ ସେଠି ପହଞ୍ଚିବା ପରେ ସେମାନେ ମୋତେ ଫିଲ୍ମର ମୁଖ୍ୟ ନାୟିକା ଭାବେ ନେବାକୁ ଚାହୁଛନ୍ତି ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏତେ କମ୍‌ ବୟସରେ ଏଭଳି ଚରିତ୍ର କରି ପାରିବି କି ନାହିଁ ବୋଲି ମୁଁ ବହୁତ ଭାବିଥିଲି । କିନ୍ତୁ ତାପସ ସାର୍‌ଙ୍କର ମୋ ଉପରେ ସମ୍ପୁର୍ଣ୍ଣ ଭରସା ଥିଲା । କିଛି ଦିନ ପରେ ବହୁତ୍‌ ଭାବି ଚିନ୍ତି ମୁଁ ଏହି ଫିଲ୍ମ ପାଇଁ ହଁ ଭରିଥିଲି ।

Odia99.com

ପ୍ରଥମ ଥର ପାଇଁ ମୁଖ୍ୟ ନାୟିକା ଭାବରେ ନିଜକୁ ସ୍କ୍ରିନ୍‌ ଉପରେ ଦେଖିବାର ଅନୁଭୂତି କିପରି ଥିଲା?
– ବହୁତ୍‌ ଖୁସି ହୋଇଥିଲି । ନାୟିକା ହିସାବରେ ଫିଲ୍ମକୁ ସଫଳ କରିବା ପାଇଁ ମୁଁ ବହୁତ କଷ୍ଟ କରିଥିଲି। ସ୍କ୍ରିନ୍‌ ଉପରେ ନାୟିକା ଭାବରେ ନିଜକୁ ଦେଖିଲା ପରେ ବିଶ୍ୱାସ କରି ପାରିଲିନି କି ମୁଁ ନବମରେ ପଢ଼ୁଛି । ସମସ୍ତେ ମୋ ଅଭିନୟକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଥିଲେ । ଏତେ ପ୍ରଶଂସା ମିଳିବା ପରେ ଆଗକୁ ଆହୁରି ଭଲ କରିପାରିବି ବୋଲି ମନରେ ସାହସ ଆସିଥିଲା ।
ତିନିଟି ଫିଲ୍ମରେ ଶିଶୁ କଳାକାର ଭାବରେ ଏବଂ ଦୁଇଟି ଫିଲ୍ମରେ ନାୟିକା ଭାବରେ ଅଭିନୟ କରି ସାରିଛନ୍ତି । କେଉଁ ଫିଲ୍ମର ଅନୁଭୂତି ଆପଣଙ୍କ ପାଇଁ ଭଲ ଥିଲା ?
ଶିଶୁ କଳାକାର ଭାବରେ ‘ରୁମ୍‌କୁ ଝୁମାନା’ର ଅନୁଭୂତି ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ । ସେ ଫିଲ୍ମରେ ସବୁ ବଡ଼ ବଡ଼ କଳାକାରମାନଙ୍କ ସହ ମୁଁ କାମ କରିଥିଲି । ବହୁତ କିଛି ଶିଖିବାକୁ ମିଳିଥିଲା । କିନ୍ତୁ ନାୟିକା ହିସାବରେ ‘ତୁ ମୋ ଲଭ୍‌ ଷ୍ଟୋରି’ର ଅନୁଭୂତି ନିଆରା ଥିଲା । ବହୁତ ଫ୍ରି ହୋଇ କାମ କରିଥିଲି । ସେଟ୍‌ରେ ସମସ୍ତେ ବହୁତ ମଜାମସ୍ତି କରୁଥିଲେ । ସେ ଭିତରେ ଫିଲ୍ମର ସୁଟିଂ କେତେବେଳେ ସରିଗଲା ଜଣା ପଡ଼ିଲାନି ।
କେଉଁ ଚରିତ୍ରଟି ଆପଣଙ୍କ ପସନ୍ଦର?
ହିରୋ ନମ୍ବର ଓ୍ଵାନ୍‌ରେ ଥିବା ଚରିତ୍ରଟି ମୋର ସବୁଠୁ ପ୍ରିୟ । ସେଥିରେ ମୁଁ ଜଣେ ରିପୋର୍ଟର ହିସାବରେ କାମ କରିଥିଲି ଏବଂ ସେ ଚରିତ୍ର ପାଇଁ ମୋତେ ବହୁତ କଷ୍ଟ ମଧ୍ୟ କରିବାକୁ ପଡ଼ିଥିଲା ।

BookMyShow

ଆପଣଙ୍କର ଡ଼୍ରିମ୍‌ ରୋଲ କ’ଣ?
– ନାରୀକୈନ୍ଦ୍ରିକ ଫିଲ୍ମ କରିବାର ଇଚ୍ଛା ମୋର ସବୁବେଳେ ରହି ଆସିଛି । ଯାହା ମାଧ୍ୟମରେ ମୁଁ ସମାଜକୁ ଭଲ ବାର୍ତ୍ତା ଦେଇ ପାରୁଥିବି । କେବେ ମୋତେ ସେଭଳି ଚରିତ୍ର ମିଳିବ ମୁଁ ସେ ଅପେକ୍ଷାରେ ଅଛି ।
ଆଗକୁ ଆଉ କିଛି ଫିଲ୍ମର ଯୋଜନା ରହିଛି କି ?
– ଆଗକୁ ଦଶମ ବୋର୍ଡ଼ ପରୀକ୍ଷା ଥିବାରୁ ଭଲ ଭଲ ପ୍ରଡ଼କ୍ସନ୍‌ର ପିଲ୍ମର ଅଫର ମିଳିଥିଲେ ମଧ୍ୟ ଏବେ ମୁଁ କରିବାକୁ ମନା କରି ଦେଇଛି । କିନ୍ତୁ ପରୀକ୍ଷା ପରେ ଦୁଇଟି ଫିଲ୍ମ କରିବାର ଯୋଜନା ରହିଛି । ଯାହା ବିଷୟରେ ମୁଁ ଏବେ କିଛି କହିବାକୁ ଚାହେଁନି । ସେଇଟା ଦର୍ଶକଙ୍କ ପାଇଁ ସର୍‌ପ୍ରାଇଜ୍‌ ରହିଛି ।
ଆପଣଙ୍କୁ ଏକ ତେଲୁଗୁ ଫିଲ୍ମର ଅଫର ମିଳିଥିଲା ବୋଲି ଶୁଣିବାକୁ ପାଇଥିଲୁ । ଏହି ଖବରରେ କିଛି ସତ୍ୟତା ରହିଛି କି?
ହଁ, ଏହା ସତ । ସେମାନେ ଏହି ଫିଲ୍ମର ପ୍ରସ୍ତାବ ନେଇ ଆମ ଘରକୁ ମଧ୍ୟ ଆସିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ମୋ ପରୀକ୍ଷା ପାଇଁ ମୋତେ ସେ ଫିଲ୍ମକୁ ଛାଡ଼ିବାକୁ ପଡ଼ିଥିଲା ।
ଅଭିନେତ୍ରୀ ହୋଇ ନ ଥିଲେ ଆପଣ ଆଉ କେଉଁ କ୍ୟାରିୟରକୁ ବାଛିଥାନ୍ତେ?
– ଆଗକୁ ଯାଇକି ମୁଁ କ’ଣ କରିବି ବୋଲି ଭାବି ନ ଥିଲି । ମୋ ସାମ୍ନାରେ ଯାହା ଥାଏ ମୁଁ ତାକୁ ଭଲ ଭାବରେ କରିବାକୁ ଚେଷ୍ଟା କରିଥାଏ । ଅଭିନେତ୍ରୀ ହେବା ପୂର୍ବରୁ ମୋତେ ଓଡ଼ିଶୀ ଏବଂ ମଡ଼େଲିଂ ପାଇଁ ପୁରସ୍କାର ମଧ୍ୟ ମିଳିଛି । ପେଣ୍ଟିଂ ବି ମୁଁ ବହୁତ ଭଲ ଭାବରେ କରେ । ଯାହା କାମ ଆଜି ପର୍ଯ୍ୟନ୍ତ କରିଛି ସବୁବେଳେ ସେଥିରେ ଭଲ କରିବାକୁ ଚେଷ୍ଟା କରିଥାଏ । ସେମିତି କିଛି ନିର୍ଦ୍ଦିଷ୍ଟ ଜିନିଷ ମୁଁ କରିବି ବୋଲି ମୁଁ ଭାବି ନଥିଲି ।

ସମ୍ବନ୍ଧିତ ଖବର