ବ୍ରାଜିଲ୍‌ ବାଳଅପରାଧୀ ଗୃହରେ ଦଙ୍ଗା; ବିଛଣା ଗଦି ପୋଡ଼ି ୯ ମୃତ

ରିଓ ଡି ଜେନିରୋ: ଶନିବାର ଦିନ ଏକ ବାଳଅପରାଧୀ ଗୃହରେ ଦଙ୍ଗାଗୋଳ ବେଳେ ଗୋଟାଏ ବିଛଣା ଗଦିରେ ଅନ୍ତେବାସୀମାନେ ନିଅାଁ ଲଗାଇ ଦେବାରୁ ସେଠାରେ ଅଟକ ଥିବା ୯ ଜଣ ବାଳଅପରାଧୀଙ୍କର ମୃତ୍ୟୁ ଘଟିଛି।

ସେ ବାଳ ଅପରାଧୀ ଗୃହଟି ଗୋୟାନିଆ ସହରରେ ଅବସ୍ଥିତ। ୧୩ ରୁ ୧୭ ବର୍ଷ ବୟସ୍କ ନାବାଳକ ଅପରାଧୀମାନଙ୍କୁ ସେଠାରେ ଅସ୍ଥାୟୀ ଭାବେ ରଖାଯାଇଥାଏ।

ପ୍ରଶାସକମାନେ ଅଟକଥିବା କେତେକ ନାବାଳକଙ୍କୁ ଗୋଟିଏ ଖୁଆଡ଼ରୁ ଅନ୍ୟ ଏକ ଖୁଆଡ଼କୁ ନେବା ସମୟରେ ଦଙ୍ଗାଗୋଳର ସୂତ୍ରପାତ ହୋଇଥିଲା ବୋଲି ମାନବିକ ଅଧିକାର କମିସନର ଓକିଲ ଜିଲେସ୍‌ ସେବାଷ୍ଟିଆନ୍‌ ଗୋମ୍‌ସ୍‌ କହିଛନ୍ତି।

ଅଟକ ରଖାଯାଉଥିବା ନାବାଳକମାନଙ୍କ ପରିବାର ସହ ସର୍ବଦା ଯୋଗାଯୋଗ ରଖୁଥିବା ଗୋମ୍‌ସ୍‌ କହନ୍ତି: ସେ କେନ୍ଦ୍ରରେ ମାତ୍ର ୫୦ ଜଣ ରହିବା ଭଳି ସୁବିଧା ଅଛି, କିନ୍ତୁ ରହୁଛନ୍ତି ୮୦ ରୁ ୯୦ ଜଣ।

ସେ ଆହୁରି କହନ୍ତି: ଖୁଆଡ଼ ସବୁ ଛୋଟ ଏବଂ ଗହଳିଆ। ସେଥିରେ ପୁଣି କର୍ମଚାରୀଙ୍କର ଅଭାବ।

ରାଜ୍ୟ ସରକାର ଏକ ବିବୃତିରେ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ ଏବଂ ମୃତ ପିଲାଙ୍କର ପରିବାରକୁ ସହାୟତା ଯୋଗାଇ ଦିଆଯିବ। କେବଳ ୯ ଜଣ ମରିଥିବା କଥା ଉଲ୍ଲେଖ କରିବା ଛଡ଼ା ଅନ୍ୟ କୌଣସି ସବିଶେଷ ବିବରଣୀ ଉକ୍ତ ବିବୃତିରେ ନ ଥିଲା।

ବ୍ରାଜିଲ୍‌ର କାରାଗାରଗୁଡ଼ିକରେ ବିଶ୍ୱର ସବୁଠୁ ଅଧିକ ସଂଖ୍ୟକ କଏଦୀ ଅଛନ୍ତି। ବିଶେଷଜ୍ଞମାନେ ହିସାବ କରିଛନ୍ତି ଯେ, ପ୍ରାୟ ୪୦% କଏଦୀମାନଙ୍କୁ ଦଣ୍ଡାଦେଶ ଦିଆ ଯାଇ ନାହିଁ ବା ସେମାନେ ବିଚାର ଅପେକ୍ଷାରେ ରହିଛନ୍ତି।

ସମ୍ବନ୍ଧିତ ଖବର