କେରଳର ପ୍ରସିଦ୍ଧ ଗୁରୁବାୟୁର କୃଷ୍ଣ ମନ୍ଦିରରେ ଅଣହିନ୍ଦୁଙ୍କୁ ପ୍ରବେଶ ଅନୁମତି, ମୁଖ୍ୟ ପୁରୋହିତଙ୍କ ତୀବ୍ର ବିରୋଧ

ତ୍ରିଶୂର: କେରଳର ତ୍ରିଶୂର ଜିଲ୍ଲାରେ ଥିବା ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ଶ୍ରୀଗୁରୁବାୟୁର ମନ୍ଦିରରେ ଅଣହିନ୍ଦୁମାନଙ୍କୁ ପ୍ରବେଶ ଅନୁମତି ନେଇ ବିବାଦ ସୃଷ୍ଟି ହୋଇଛି । ଗତସପ୍ତାହରେ କେରଳ ସରକାରଙ୍କ ଦେବସ୍ୱମ ବିଭାଗ ମନ୍ଦିର ପରିସରରେ ଥିବା ଭୋଜନ ମଣ୍ଡପ ଅନ୍ନଲକ୍ଷ୍ମୀ ହଲକୁ ଅଣହିନ୍ଦୁ ମାନଙ୍କୁ ପ୍ରବେଶ ଅନୁମତି ଦେବା ପରେ ମନ୍ଦିରର ମୁଖ୍ୟ ପୁରୋହିତ ତାହାକୁ ବିରୋଧ କରିଛନ୍ତି । ଆମର ରାଜ୍ୟର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରି ଶ୍ରୀଗୁରୁବାୟୁର ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ନିଷିଦ୍ଧ ଅଛି । କିନ୍ତୁ ଗତ ସପ୍ତାହରେ କେରଳର ଦେବସ୍ୱମ୍‌ ବିଭାଗ କେବଳ ଅନ୍ନଲକ୍ଷ୍ମୀ ହଲ୍‌ ପର୍ଯ୍ୟନ୍ତ ଅଣହିନ୍ଦୁ ପ୍ରବେଶ କରିପାରିବେ ବୋଲି ଅନୁମତି ଦେଇଛନ୍ତି ।

ଏହାକୁ ମନ୍ଦିରର ମୁଖ୍ୟ ପୂଜାରୀ ପି.ଚେନ୍ନାସ ନାରାୟଣ ନମ୍ବୁଦ୍ରିପାଦ ବିରୋଧ କରିଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧ କରି ସେ ରାଜ୍ୟର ଦେବସ୍ୱମ ମନ୍ତ୍ରୀ ଓ ଦେବସ୍ୱମ କମିଶନରଙ୍କୁ ପତ୍ର ଲେଖିଛନ୍ତି । ନିଜ ପତ୍ରରେ ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଦ୍ୱାରା ମନ୍ଦିରର ପବିତ୍ରତା ନଷ୍ଟ ହେବ । କାରଣ ଏହି ଭୋଜନ ମଣ୍ଡପ ପାଖରେ ମନ୍ଦିରର ପୋଖରୀ ଅଛି । ଅଣହିନ୍ଦୁ ଭକ୍ତମାନେ ଖାଇସାରି ପୋଖରୀକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ପୋଖରୀରେ ଶ୍ରୀବିଗ୍ରହ ମାନଙ୍କୁ ସ୍ନାନ କରାଯାଏ । ଆହୁରି ମଧ୍ୟ ପ୍ରସାଦ ରୋଷେଇ ଘରଟି ମଧ୍ୟ ଏହି ପୋଖରୀ ପାଖରେ ରହିଛି । ଏଣୁ ଅଣହିନ୍ଦୁମାନେ ସେଠାରେ ମଧ୍ୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଏପିର ହେଲେ ପ୍ରତ୍ୟେକ ଦିନ ଠାକୁରଙ୍କୁ ମହାସ୍ନାନ କରାଇବାକୁ ପଡିବ । ଅନେକ ଭକ୍ତ,ସ୍ଥାନୀୟ ନିବାସୀ ମଧ୍ୟ ଅଣହିନ୍ଦୁ ପ୍ରବେଶକୁ ବିରୋଧ କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର