‘ଆଇଏସ୍‌ଏସ୍‌’ର ଦିନକାଳ ସରି ଆସୁଥିବାରୁ ଚୀନ୍‌ ଉନ୍ମୋଚନ କଲା ସ୍ପେସ୍‌ ଷ୍ଟେସନ୍‌- ‘ସ୍ୱର୍ଗୀୟ ପ୍ରାସାଦ’

ଝୁହାଇ: ମଙ୍ଗଳବାର ଦିନ ଚୀନ୍‌ ତା’ର ପ୍ରଥମ ସ୍ଥାୟୀ କର୍ମଚାରୀ ଥିବା ସ୍ପେସ୍‌ ଷ୍ଟେସନ୍‌ର ପ୍ରତିରୂପ ଉନ୍ମୋଚନ କରିଛି। ଦକ୍ଷିଣ ଉପକୂଳ ସହର ଝୁହାଇରେ ଅନୁଷ୍ଠିତ ଦ୍ୱିବାର୍ଷିକ ‘ଏୟାର୍‌ସୋ ଚାଇନା’ର ମୁଖ୍ୟ ଆକର୍ଷଣ ଥିଲା ଏହି ୧୭ ମିଟର୍‌ ଦୀର୍ଘ ପ୍ରତିକୃତି।

‘ସିଆନ୍‌ଗୋଙ୍ଗ୍‌’ ବା ‘ସ୍ୱର୍ଗୀୟ ପ୍ରାସାଦ’ ନାମକ ଏହି ସ୍ପେସ୍‌ ଷ୍ଟେସନ୍‌ର ମଡେଲ୍‌ ବା ପ୍ରତିରୂପରେ କର୍ମଚାରୀମାନଙ୍କର ରହିବା ଏବଂ କାମ କରିବା ସ୍ଥାନ ପ୍ରଦର୍ଶୀତ ହୋଇଥିଲା। ବୈଜ୍ଞାନିକ ପରୀକ୍ଷା ନିମନ୍ତେ ଏଥିରେ ଆଉ ଦୁଇଟି ମୋଡୁଲ୍‌ ଲାଗିବ ଏବଂ ସୌରଫଳକ ଖଞ୍ଜାଯିବ।

ଏହି ୬୦ ଟନ୍‌ ଭାରୀ ଘୂର୍ଣ୍ଣୀୟମାନ ପରୀକ୍ଷାଗାରରେ ତିନି ଜଣ ମହାକାଶଚାରୀ ସ୍ଥାୟୀ ଭାବେ ରହିବେ। ସେଠାରେ ସେମାନେ ଜୈବିକ ଏବଂ ସୂକ୍ଷ୍ମମାଧ୍ୟାକର୍ଷଣ ଉପରେ ପରୀକ୍ଷା ନିରୀକ୍ଷା ଚଳାଇବେ।

୨୦୨୨ ସୁଦ୍ଧା ଏହି ଷ୍ଟେସନ୍‌ର ଖଞ୍ଜାଖଞ୍ଜି କାମ ଶେଷ ହେବ। ଏହାର ପରମାୟୂ ୧୦ ବର୍ଷ ବୋଲି ଆଶା କରାଯାଉଛି।

ଗୋଟାଏ ଫୁଟ୍‌ବଲ ପିଚ୍‌ ସମକକ୍ଷ ୪୦୦ ଟନ୍‌ ଭାରୀ ‘ଆଇଏସ୍‌ଏସ୍‌’ ଠାରୁ ଏହା ଅତି ଛୋଟ ହେଲେ ବି ସେତେବେଳେ ଚୀନ୍‌ ସ୍ପେସ୍‌ ଷ୍ଟେସନ୍‌ ହିଁ ଏକମାତ୍ର ମହାକାଶରେ ଘୂରୁଥିବ।

ବୈଜ୍ଞାନିକ ପରୀକ୍ଷା ନିମନ୍ତେ ଏହା ସବୁ ଦେଶ ନିମନ୍ତେ ଉନ୍ମୁକ୍ତ ବୋଲି ମେ ମାସରେ ଚୀନ୍‌ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର