ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଇଞ୍ଜିନିୟରଙ୍କୁ ୧୦ ବର୍ଷ ଜେଲ୍‌; ୮୫ ଲକ୍ଷ ଟଙ୍କା ଜରିମାନା

ମୁମ୍ବାଇ: ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଥିବା ଜଣେ ପବ୍ଲିକ୍‌ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ୍‌ ଇଞ୍ଜିନିୟର୍‌ଙ୍କୁ ଏକ ସେସନ୍‌ କୋର୍ଟ ୮୫ ଲକ୍ଷ ଟଙ୍କା ଜରିମାନା ସହ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଯଦି ଯେ ଜରିମାନା ଦେଇ ନ ପାରନ୍ତି, ତାଙ୍କୁ ଆଉ ୪ ବର୍ଷ ଜେଲ୍‌ରେ ରହିବାକୁ ପଡ଼ିବ।
ପ୍ରିଭେନ୍‌ସନ୍‌ ଅଫ୍‌ କରପ୍‌ସନ୍‌ ଆକ୍ଟ୍‌ରେ ସବୁଠୁ ଅଧିକ ଜରିମାନା କରାଯାଇଥିବା ଅର୍ଥ ରାଶି ବୋଲି ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ କହିଛନ୍ତି। ପିସିଏ ବ୍ୟବସ୍ଥାରେ ସର୍ବନିମ୍ନ ଓ ସର୍ବାଧିକ ଜେଲ୍‌ ଦଣ୍ଡ ଅନୁମୋଦନ କରାଯାଇଥିବା ବେଳେ ଜରିମାନା ପ୍ରସଙ୍ଗରେ କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ତାହା ବିଚାରପତିଙ୍କ ଉପରେ ଛାଡ଼ି ଦେଇଛନ୍ତି।

ଶ୍ରୀରାମପୁର ପଞ୍ଚାୟତ ସମିତି ସହ ସମ୍ପୃକ୍ତ ଇଞ୍ଜିନିୟର ଅଶୋକ କେଶବରାଓ ମୁଣ୍ଡେ ଜଣେ ଠିକାଦାରଙ୍କ ଠାରୁ ୨୦୧୬ ମସିହା ମେ ୪ ତାରିଖ ଦିନ ୧. ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଚେକ୍‌ ରିଲିଜ୍‌ ପାଇଁ ମୁଣ୍ଡେ ବିଲ୍‌ ଅର୍ଥରାଶିର ୫% ଦାବି କରିଥିଲେ। ଲାଞ୍ଚ ଅର୍ଥ ମୁଣ୍ଡେଙ୍କୁ ଅହମଦନଗର ଜିଲ୍ଲା ପରିଷଦ ଗେଷ୍ଟ୍‍ ହାଉସ୍‌ରେ ଦିଆଯିବ ବୋଲି ସ୍ଥିର ହୋଇଥିଲା। ମୁଣ୍ଡେ ଲାଞ୍ଚ ଗ୍ରହଣ କରିବାବେଳେ ହିଁ ଧରାପଡ଼ିଥିଲେ।

ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତଦନ୍ତ କରାଯାଇ ୨୦୧୬ ମସିହା ସେପ୍ଟେମ୍ବର ୨ ତାରିଖ ଦିନ ଚାର୍ଜ ସିଟ୍‌ ଦାଖଲ କରାଯାଇଥିଲା।

ଗତ ଶୁକ୍ରବାର ଦିନ ଅହମଦନଗର ସେସନ୍‌ ଜଜ୍‌ ଏସ୍‌ ୟୁ ବାଘେଲେ ମୁଣ୍ଡେଙ୍କୁ ପିସିଏ ସେକ୍‌ସନ୍‌ ୧୩ ଆଧାରରେ ୧୦ ବର୍ଷ କାରାଦଣ୍ଡ ଓ ୫୦ ଲକ୍ଷ ଟଙ୍କା ଜରିମାନା କରିଥିଲେ। ତା’ଛଡ଼ା ଧାରା ୭ ଆଧାରରେ ଆଉ ୩୫ ଲକ୍ଷ ଟଙ୍କା ଜରିମାନା କରିଥିଲେ।

ସମ୍ବନ୍ଧିତ ଖବର