ଗଗନଯାନ : ‌ବେଙ୍ଗାଲୁରୁ ଠାରେ ଇସ୍ରୋ ଖୋଲିଲା ହ୍ୟୁମାନ ସ୍ପେଶ ଫ୍ଲାଇଟ ସେଣ୍ଟର

ବେଙ୍ଗାଲୁରୁ : ଇସ୍ରୋ ପକ୍ଷରୁ ଆସନ୍ତା ୨୦୨୧ରେ ନିଜର ଗଗନଯାନ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଏଠାରେ ଥିବା ହୁମାନ ସ୍ପେଶ ଫ୍ଲାଇଟ ସେଣ୍ଟର ଖୋଲାଯାଇଛି । ଏହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନ ଉଦଘାଟନ କରିଥିଲେ । ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଉପସ୍ଥିତ ଥିଲେ ।
ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଗତ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଗତ ମାସରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହି ପ୍ରକଳ୍ପକୁ ସବୁଜସଂକେତ ଦେଇ ପ୍ରାୟ ୧୦ ହଜାର କୋଟି ମଂଜୁର କରିଛି । ଏହି ଲକ୍ଷ୍ୟକୁ ହାସଲ କରିବାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆସନ୍ତା ୨୦୨୧ ଦ୍ୱିତୀୟ ଭାଗରେ ଭାରତ ମହାକାଶକୁ ଜଣେ ନୁହେଁ ୩ ଜଣକୁ ପଠାଇବ ଓ ଏମାନଙ୍କ ମଧ୍ୟରେ ଜଣେ ମହିଳା ମହାକାଶଚାରୀ ରହିବାର ସମ୍ଭାବନା ରହିଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ. ସିବନ କହିଛନ୍ତି । ମୁଖ୍ୟତଃ ଭାରତୀୟ ବାୟୁସେନାର ପାଇଲଟ ମାନଙ୍କୁ ଏଥିପାଇଁ ଚୟନ କରାଯିବ । ତେବେ ଏହି ପ୍ରକଳ୍ପ ପାଇଁ ମହାକାଶଚାରୀ ଚୟନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର