ଜାପାନୀ ଡିଜାଇନର ଓ ଜଣେ ଭାରତୀୟ ଯୁବକଙ୍କ କମାଲ, ଜାପାନବାସୀ ପିନ୍ଧୁଛନ୍ତି ଭାରତୀୟ ପୋଷାକ

ଟୋକିଓ: ଜାପାନବାସୀଙ୍କ ଏବେ ପ୍ରଥମ ପସନ୍ଦ ପାଲଟିଛି ଭାରତୀୟ ପୋଷାକ | ସୁଦୂର ଜାପାନରେ ଏବେ ଉତ୍ତରାଖଣ୍ଡ ବୁଣାକାରଙ୍କ ଲୁଗା ପହଂଚି ପାରିଛି | ଏଭଳି ଏକ ନିଆରା ପ୍ରଚେଷ୍ଟା କରିଛନ୍ତି ଭାରତୀୟ ଯୁବକ ରାକେଶ ସିଂ ଓ ଜାପାନର ଫେସନ ଡିଜାଇନର ଚିୟକୀ ମାକି | ଏହି ଦୁଇ ଜଣ ମିଶି ଏବେ ଭାରତୀୟ ବୁଣାକାରଙ୍କ ସହାୟତାରେ ଜାପାନବାସୀଙ୍କ ପାଇଁ ବସ୍ତ୍ର ବୁଣୁଛନ୍ତି | ଏହାକୁ ସଂଗ୍ରହ କରି ଜାପାନରେ ମାର୍କେଟିଙ୍ଗ କରାଉଛନ୍ତି |

ଡେରାଡୁନ ଜିଲ୍ଲାର ଭୋଗପୁର ଗାଁରେ ଗଙ୍ଗା ମା କି ଟେକ୍ସଟାଇଲ ନାମରେ ନିଜର ଏକ କମ୍ପାନୀ ଆରମ୍ଭ କରିଥିଲେ ରାକେଶ | ନିଜେ ଟୋକିଓରେ ରହୁଥିବାବେଳେ ରାକେଶ ଦେଖିଥିଲେ ଯେ ଜାପାନବାସୀଙ୍କ ପୋଷାକ ସହ ଭାରତୀୟ ପୋଷାକର ସାମଞ୍ଜସ୍ୟ ରହୁଛି | ତେଣୁ ନିଜ ଅଂଚଳର ବୁଣାକାରମାନେ କିଭଳି ଅଧିକ ରୋଜଗାର କରିପାରିବେ ସେହି ଚେଷ୍ଟାରେ ଭାରତକୁ ଫେରିଆସିଥିଲେ | ଉତ୍ତରାଖଣ୍ଡରେ ଅଧିକ ସଂଖ୍ୟାରେ ଉଲ କାରିଗର ଥିଲେ ବି ଭଲ ମଜୁରୀ ପାଉନଥିବା ଦେଖିଥିଲେ |

ଏହାପରେ ଜାପାନର ଫେସନ ଡିଜାଇନର ଚିୟକୀ ମାକିଙ୍କ ସହଯୋଗ ଲୋଡ଼ିଥିଲେ ରାକେଶ | ଚିୟକୀ ମାକି ନିଜେ ଭାରତକୁ ଆସି ଜାପାନବାସୀଙ୍କ ପସନ୍ଦ ଡିଜାଇନ ବାବଦରେ ରାକେଶଙ୍କୁ ବୁଝାଇଥିଲେ | ଏହାପରେ ରାକେଶ ଓ ତାଙ୍କ ଟିମ ବୁଣାକାରମାନଙ୍କୁ ଏଭଳି ଡିଜାଇନର ପୋଷାକ ପ୍ରସ୍ତୁତ କରିବାକୁ କହିଥିଲେ | ପରେ ବସ୍ତ୍ର ପ୍ରସ୍ତୁତ ହୋଇଯିବା ପରେ ସେ ସବୁକୁ ଜାପାନକୁ ପଠାଇ ଏବେ ବେଶ ଭଲ ରୋଜଗାର କରୁଛନ୍ତି | ରାକେଶ କୁହନ୍ତି ଯେ ମାତ୍ର କିଛି ଟଙ୍କାର ପୁଞ୍ଜିନିବେଶ କରି ଆଜି ସେ ବର୍ଷକୁ ପାଖାପାଖି ୩ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି |

 

ସମ୍ବନ୍ଧିତ ଖବର