ନିର୍ବାଚନ ପୂର୍ବରୁ ମନ୍ଦିରରେ ହନୁମାନଜୀଙ୍କୁ ହାତ ନ ଧୋଇ ଫୁଲ ଚଢ଼ାଇ ସମାଲୋଚନାର ଶିକାର ହେଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆଦ୍‌ମୀ ପାର୍ଟି(ଆପ୍‌) ଓ ଭାରତୀୟ ଜନତା ପାର୍ଟି(ବିଜେପି) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆଜି ନିର୍ବାଚନ ଚାଲୁ ରହିଥିବା ବେଳେ ମତଦାନ ପୂର୍ବରୁ ମନ୍ଦିର ଯାଇ ପୂଜା କରିଥିଲେ ଦିଲ୍ଲୀର ମୁୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌।  ତେବେ ପୂଜା ସମୟରେ କେଜ୍ରିୱାଲଙ୍କ ଆଚରଣକୁ ବିଜେପିର ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀଙ୍କ ସମାଲୋଚନା କରିଛନ୍ତି। 

ଆପ୍‌ ମୁଖ୍ୟ କେଜ୍ରିୱାଲ୍‌ ଦିଲ୍ଲୀର କନ୍ନଟ ପ୍ଲେସରେ ଥିବା ହନୁମାନ ମନ୍ଦିରରେ ଶୁକ୍ରବାର ପତ୍ନୀ ସୁନୀତାଙ୍କ ସହ ପୂଜା ପାଇଁ ଯାଇଥିଲେ। କେଜ୍ରିୱାଲ୍‌ ସେଠାରେ ଯେଉଁ ହାତରେ ତାଙ୍କ ଜୋତା ଖୋଲିଥିଲେ ସେହି ହାତରେ ଫୁଲହାର ଧରି ହନୁମାନଙ୍କୁ ଅର୍ପଣ କରିଥିବା କାରଣରୁ ତାଙ୍କୁ ସମାଲୋଚନା କରିଛନ୍ତି ତିୱାରୀ। ସେ କହିଛନ୍ତି କି ବାସ୍ତବ ଭକ୍ତ ହୋଇଥିଳେ କେଜ୍ରିୱାଲ୍‌ ଜୋତା ଖୋଲିଥିବା ହାତରେ ହନୁମାନଜୀଙ୍କୁ  ଫୁଲ ଚଢ଼ାଇ ନଥାନ୍ତେ। ଏହାଛଡ଼ା ତିୱାରୀ କେଜ୍ରିୱାଲ୍‌ଙ୍କୁ ନକଲି ଭକ୍ତ ବୋଲି କହିଛନ୍ତି।

India TV

ଏ ସଂପର୍କରେ ନିଜର ଜବାବ ରଖି ‌‌କେଜ୍ରିୱାଲ୍‌ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ ଯେତେଥର ବି ଟିଭି ଚ୍ୟାନେଲ୍‌ରେ ହନୁମାନ ଚାଳିଶା ପଢ଼ିଛି ବିଜେପିର ଲୋକମାନେ ମୋ‌ତେ କଟାକ୍ଷ କରିଛନ୍ତି। ଗତକାଲି ମୁଁ ହନୁମାନ ମନ୍ଦିର ଯାଇଥିଲି। ଆଜି ଜଣେ ବିଜେପି ନେତାଙ୍କ କହିବା କଥା ହେଲା ମୋ ଯିବା ପରେ ମନ୍ଦିର କୁଆଡ଼େ ଅପବିତ୍ର ହୋଇଗଲା। ଏହା କି ପ୍ରକାରର ରାଜନୀତି। ଈଶ୍ବର ଚାରିିଆଡ଼େ ଅଛନ୍ତି। ସେ ସମସ୍ତଙ୍କର ମଙ୍ଗଳ କରନ୍ତୁ, ବିଜେପି କର୍ମାମାନଙ୍କର ମଧ୍ୟ।’

ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀରେ ମତଦାନ ଚାଲିଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ମାତ୍ର ୩୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ସେହିପରି ଅପରାହ୍ଣ ୧ଟା ସୁଦ୍ଧା ମାତ୍ର ୧୯ ପ୍ରତିଶତ ମତଦାନ ହୋଇଥିଲା । ନିର୍ଦ୍ଧାରିତ ସମୟ ଶନିବାର ସକାଳ ୮ଟା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ବୁଥଗୁଡ଼ିକରେ ଭୋଟ୍‌ ଗ୍ରହଣ ଚାଲିବ। ଏଥିରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ସମ୍ବନ୍ଧିତ ଖବର