ପୁଲ୍‌ଓ୍ଵାମା ଆକ୍ରମଣକାରୀ ଆତଙ୍କବାଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଆମ ଯବାନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆକ୍ରମଣକାରୀ ଆତଙ୍କବାଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଆମ ଯବାନମାନେ।  ଶନିବାର ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ନାଗପୁର ଠାରେ ଏକ ରାଲିକୁ ସମ୍ବୋଧିତ କରି ଏ କଥା କହିଛନ୍ତି।

ସେ କହିଛନ୍ତି, ସିଆର୍‌ପିଏଫ୍‌ର ସହିଦ ଯବାନମାନଙ୍କ ଆତ୍ମବଳି ବୃଥା ଯିବ ନାହିଁ, ଆକ୍ରମଣକାରୀ ଯେଉଁଠି ଲୁଚନ୍ତୁନା କାହିଁକି ସେମାନଙ୍କୁ ଦଣ୍ଡ ଦିଆଯିବ। ପୁଲ୍‌ଓ୍ଵାମା ଠାରେ ଆମ ଯବାନମାନଙ୍କୁ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଛଡ଼ା ଯିବ ନାହିଁ। ନିଜ ମାର୍ଗ ନିର୍ଦ୍ଧାରଣ କରିବାକୁ ନିରାପତ୍ତା ବଳଙ୍କୁ କୁହାଯାଇଛି।

ପୁଲ୍‌ଓ୍ଵାମାରେ ଯାହା ଘଟିଲା ସେଥିଯୋଗୁଁ ଆମେ ଖୁବ୍‌ ଦୁଃଖ ପାଉଛନ୍ତି, ମୁଁ ଆପଣମାନଙ୍କ କ୍ରୋଧ ବୁଝି ପାରୁଛି। ଆକ୍ରମଣରେ ମହାରାଷ୍ଟ୍ରର ଦୁଇ ସନ୍ତାନ ଜୀବନ ହରାଇଛନ୍ତି, ସେମାନଙ୍କ ଆତ୍ମବଳି ଅଯଥା ଯିବ ନାହିଁ।

ଅପରାଧ ଘଟାଇଥିବା ଆତଙ୍କବାଦୀ ସଂଗଠନ ଯେତେ ଲୁଚିବାକୁ ଯେତେ ଚେଷ୍ଟା କଲେ ବି ଦଣ୍ଡ ପାଇବେ। କାର୍ଯ୍ୟନୁଷ୍ଠାନ ଲାଗି  ନିରାପତ୍ତା ବଳଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।

ମୁଁ କରୁଥିବା କାମ, ଉଦ୍ୟମରେ ଆପଣମାନେ ଖୁସି କି, ବୋଲି ରାଲିରେ ସମବେତ ଜନତାଙ୍କୁ ପ୍ରଶ୍ନ କରିଥିଲେ ମୋଦି।

ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ କଥାରେ ପାକିସ୍ତାନକୁ ଉଦ୍ଦେଶ୍ୟ କରି ସେ କହିଲେ ଦେବାଳିଆ ପରିସ୍ଥିତିରେ ପଡ଼ିବାକୁ ଯାଉଥିବା ପଡ଼ୋଶୀ ଦେଶ ଏବେ ଆତଙ୍କର ଦ୍ୱିତୀୟ ନାମ ପାଲଟିଛି।

ନାଗପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିବେ। ଯବତମଲ ଠାରେ ସେ ରିମୋଟ୍‌ ବଟନ୍‌ ଟିପି ଏକଲବ୍ୟ ମଡେଲ୍‌ ରେସିଡେନ୍‌ସିଆଲ୍‌ ସ୍କୁଲ୍‌ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମନୋନୀତ ହିତାଧିକାରୀଙ୍କୁ ଚାବି ପ୍ରଦାନ କରିବେ। ଭିଡିଓ ଲିଙ୍କ୍‌ ଦ୍ୱାରା ଅଜନି (ନାଗପୁର)- ପୁଣେ ଟ୍ରେନ୍‌ ଚଳାଚଳ ଆରମ୍ଭ ଓ କେନ୍ଦ୍ରୀୟ ସଡ଼କ ପାଣ୍ଠି ଅଧୀନରେ ସମ୍ପୃକ୍ତ ଅଞ୍ଚଳରେ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସମ୍ବନ୍ଧିତ ଖବର