ରାଷ୍ଟ୍ରପତିଙ୍କ କୋବିନ୍ଦଙ୍କ ହସ୍ତକ୍ଷେପ ଯୋଗୁଁ ବଦଳିଲା ନାହିଁ ଆମେରିକୀୟ ଯୁବତୀଙ୍କ କେରଳ ବିବାହସ୍ଥଳ

କୋଚି: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଫଳରେ ଶେଷ ମୁହୂର୍ତ୍ତରେ ‘ବିବାହସ୍ଥଳ’ ପରିବର୍ତ୍ତନ କରାଇବାକୁ ନିର୍ଦେଶ ପାଇ ହଇରାଣ ହେବାକୁ ଯାଉଥିବା ଜଣେ ଆମେରିକୀୟ ଯୁବତୀ ରକ୍ଷା ପାଇଛନ୍ତି।

ସେ ଆମେରିକୀୟ ଯୁବତୀ ହେଉଛନ୍ତି ମିଚିଗାନ୍‌ ଅନ୍ତର୍ଗତ ଆସ୍‌ଲି ହଲ୍‌। ନିଜର ବାହାଘର ପାଇଁ ସେ ବହୁ ପୂର୍ବରୁ କୋଚି ଅନ୍ତର୍ଗତ ଉଇଲିଙ୍ଗ୍‌ଟନ୍‌ ଦ୍ୱୀପରେ ଥିବା ତାଜ୍‌ ମାଲାବାର୍‌ ହୋଟେଲ୍‌କୁ ଚୟନ କରିଥିଲେ। କୋଚିରେ ପହଞ୍ଚିବା ପରେ ଶନିବାର ଦିନ ସେ ତାଙ୍କ ବିବାହସ୍ଥଳୀର ଏକ ‘ବିହଙ୍ଗମ ଦୃଷ୍ଟି’ (ଏରିଏଲ୍‌ ଭିୟୁ) ଫଟୋ ଟୁଇଟ୍‌ କରିଥିଲେ। କିନ୍ତୁ କେରଳ ଗସ୍ତରେ ଆସୁଥିବା ରାଷ୍ଟ୍ରପତି ସେ ହୋଟେଲ୍‌ରେ ରହିବେ କହି ସେହି ଦିନ ହିଁ ଆସ୍‌ଲିଙ୍କୁ ବିବାହସ୍ଥଳ ପରିବର୍ତ୍ତନ କରିବାକୁ ନିରାପତ୍ତା କର୍ମଚାରୀମାନେ ନିର୍ଦେଶ ଦେଲେ।

Image Courtesy of The Indian Express

ମନଦୁଃଖରେ ଆସ୍‌ଲି ଟୁଇଟ୍‌ କଲେ: ଭାରତର ଏକ ସମ୍ଭ୍ରାନ୍ତ ହୋଟେଲ୍‌ରେ ୮ ମାସ ଆଗରୁ ଜଣେ ବାହା ହେବାକୁ ସ୍ଥିର କରିଛି। ବିବାହ ଦିନ ହିଁ ଭାରତର ରାଷ୍ଟ୍ରପତି ଅଚାନକ ସେହି ହୋଟେଲ୍‌ରେ ରହିବାକୁ ଆସୁଛନ୍ତି। ଅନ୍ୟ ଏକ ସମ୍ପୂର୍ଣ୍ଣ ନୂଆ ବିବାହସ୍ଥଳୀ ଠିକ୍‌ କରିବାକୁ ମାତ୍ର ୪୮ ଘଣ୍ଟା ସମୟ ମିଳିଛି।

Image Souce: The Times of India

ରବିବାର ଦିନ ଶେଷ ମୁହୂର୍ତ୍ତରେ ଆସ୍‌ଲି ନିଜେ ଏ ସଂକ୍ରାନ୍ତରେ ଭାରତର ରାଷ୍ଟ୍ରପତିଙ୍କୁ ଟୁଇଟ୍‌ କଲେ। ସେହିଦିନ ହିଁ ରାଷ୍ଟ୍ରପତି ଭବନରୁ ତାଙ୍କୁ ଉତ୍ତର ମିଳିଲା ଯେ ସେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ବାହାଘର ଆୟୋଜନ କରନ୍ତୁ। ତାଙ୍କ ବାହାଘର କାର୍ଯ୍ୟକ୍ରମ ପ୍ରତି ରାଷ୍ଟ୍ରପତିଙ୍କ ନିରାପତ୍ତା ବ୍ୟବସ୍ଥା ଲାଗୁ କରାଯିବ ନାହିଁ।

ଏଥିପାଇଁ ଆସ୍‌ଲି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇ ଟୁଇଟ୍‌ କରିଛନ୍ତି। ବିବାହ ଅବସରରେ ରାଷ୍ଟ୍ରପତି ଭବନରୁ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର