ଆଜି ଶାହିନ ବାଗ୍‌ ଯାଇପାରନ୍ତି ବରିଷ୍ଠ ଆଇନଜୀବୀ ସଂଜୟ ହେଗଡେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବାର୍ତ୍ତାକାର ତଥା ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଆଜି ଶାହିନ ବାଗ୍‌ ଯାଇପାରନ୍ତି | ସୋମବାର ଦିନ ସଞ୍ଜୟ କହିଥିଲେ ଯେ ମଙ୍ଗଳବାର ଦିନ ସେ ଅନୌପଚାରିକ ଭାବେ ଶାହିନ ବାଗ୍‌ ଯିବେ ଓ ଆନ୍ଦୋଳନକାରୀଙ୍କ ସହ ଅନୌପଚାରିକ କଥାବାର୍ତ୍ତା କରିବେ | ସଞ୍ଜୟ କହିଛନ୍ତି ଯେ ସବୁ ବିକଳ୍ପ ଓ କିଭଳି ଶାହିନ ବାଗ୍‌ ରାସ୍ତା ଖୋଲିପାରିବ ସେ ନେଇ ଆଲୋଚନା କରିବେ | ତେବେ ବୁଧବାର ଦିନ ବରିଷ୍ଠ ଆଇନଜୀବୀ ସଂଜୟ ହେଗଡେ, ସାଧନା ରାମଚନ୍ଦ୍ରନ୍‌ ଏବଂ ପୂର୍ବତନ ମୁଖ୍ୟ ସୂଚନା କମିସନର ୱାଜାହାତ ହବିବୁଲ୍ଲା ଶାହିନ ବାଗ୍‌ ଆନ୍ଦୋଳନରେ ଆନ୍ଦୋଳନକାରୀଙ୍କ ସହ କଥା ହେବେ। କାରଣ ଆଜି ସାଧନା ରାମଚନ୍ଦ୍ରନ ଦିଲ୍ଲୀରେ ନଥିବାରୁ ଔପଚାରିକ କଥାବାର୍ତ୍ତା ଆରମ୍ଭ କରାଯାଇପାରିବ ନାହିଁ |

ସେଥିପାଇଁ ତିନିଜଣ ଉପସ୍ଥିତ ରହିଲେ ହିଁ ଔପଚାରିକ କଥାବାର୍ତ୍ତା କରିହେବ ବୋଲି ସଞ୍ଜୟ କହିଛନ୍ତି | ଏଠାରେ ସୂଚନା ଥାଉ କି ଶାହିନ ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନ ପ୍ରସଙ୍ଗରେ ହୋଇଥିବା ଏକ ଆବେଦନର ଶୁଣାଣି ଗତକାଲି ସୁପ୍ରିମକୋର୍ଟ କରିଥିଲେ । ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଦ୍ବାରା ରାସ୍ତା ଅବରୋଧ ବନ୍ଦ କରିବାପାଇଁ ସୁପ୍ରିମକୋର୍ଟ‌ରେ ଆବେଦନ ହୋଇଥିଲା। ଏହାକୁ ନେଇ ସର୍ବୋଚ୍ଚ କୋର୍ଟ କହିଥିଲେ ଯେ ଆନ୍ଦୋଳନ କରିବା ଲୋକଙ୍କର ମୌଳିକ ଅଧିକାର। ଗଣତନ୍ତ୍ରରେ କୌଣସି ଆଇନକୁ ବିରୋଧ କରି ଲୋକେ ଆନ୍ଦୋଳନ କରିପାରିବେ। କିନ୍ତୁ ଆନ୍ଦୋଳନ ନାମରେ ରାସ୍ତା ଅବ‌ରୋଧ କରିବା ଅତ୍ୟନ୍ତ ଉଦ୍‌ବେଗଜନକ।

ଏଥିରେ ସନ୍ତୁଳନ ରହିବା ଉଚିତ୍‌ ନ‌ଚେତ୍‌ ଅରାଜକତା ସୃଷ୍ଟି ହେବ ବୋଲି ଜଷ୍ଟିସ୍‌ ସଂଜୟ କିଶନ କୌଲ୍‌ ଏବଂ କେଏମ୍‌ ଜୋସେଫ୍‌ଙ୍କ ଖଣ୍ଡପୀଠ ସୋମବାର ଶାହିନ ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନ ପ୍ରସଙ୍ଗରେ ହୋଇଥିବା ଏକ ଆବେଦନର ଶୁଣାଣି କରି କହିଥିଲେ । ଶାହିନ ବାଗ୍‌ ଆନ୍ଦୋଳନକାରୀଙ୍କ ସହ କଥା ହେବାପାଇଁ ସୁପ୍ରିମକୋର୍ଟ ୩ ଜଣ ମଧ୍ୟସ୍ଥି ଭାବେ ବରିଷ୍ଠ ଆଇନଜୀବୀ ସଂଜୟ ହେଗଡେ, ସାଧନା ରାମଚନ୍ଦ୍ରନ୍‌ ଏବଂ ପୂର୍ବତନ ମୁଖ୍ୟ ସୂଚନା କମିସନର ୱାଜାହାତ ହବିବୁଲ୍ଲାଙ୍କୁ ନିଯୁକ୍ତ କରିଛନ୍ତି |

ସମ୍ବନ୍ଧିତ ଖବର