ରୋହିଙ୍ଗ୍ୟା ବସ୍ତି ନିର୍ମାଣ ପାଇଁ ଅନୁମତି ଦେଉନାହାନ୍ତି ଯୋଗୀ ସରକାର

ନୂଆଦିଲ୍ଲୀ : ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଥିବା କାଳିନ୍ଦି କୁଞ୍ଜ ଇଲାକାରେ ଥିବା ଏକ ରୋହିଙ୍ଗ୍ୟା ବସ୍ତିରେ ଗୃହନିର୍ମାଣ ପାଇଁ ଅନୁମତି ଦେବାକୁ ମନାକରିଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କିଛିଦିନ ତଳେ ଉକ୍ତ ବସ୍ତିରେ ନିଆଁ ଲାଗି ସବୁ ଅସ୍ଥାୟୀ ଘରଗୁଡ଼ିକ ନଷ୍ଟ ହୋଇଯାଇଥିଲା । କିନ୍ତୁ ଏହି ଅଂଚଳରେ ରୋହିଙ୍ଗ୍ୟାମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଜକତ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷରୁ ଉଦ୍ୟମ କରାଯାଉଥିବାବେଳେ ଯୋଗୀ ସରକାର ଏହାକୁ ବନ୍ଦ କରିଦେଇଛନ୍ତି । ଯେଉଁ ଅଂଚଳରେ ବସ୍ତିଟି ରହିଛି ତାହା ଜକତ ଫାଉଣ୍ଡେସନ ନାଁରେ ପଂଜୀକରଣ କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ଜମିର କିଛି ଅଂଶକୁ ନିଜର ବୋଲି କହୁଛନ୍ତି । ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ ୨୦୧୦ରେ ଏହି ଜମି କିଣିଥିଲା ଓ ୨୦୧୨ରେ ରୋହିଙ୍ଗ୍ୟାମାନଙ୍କୁ ବସ୍ତି ଗଠନ କରି ରହିବାକୁ ଅନୁମତି ଦେଇଥିଲା । ଫାଉଣ୍ଡେସନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରୋହିଙ୍ଗ୍ୟାମାନେ ମୁସଲିମ ହୋଇଥିବାରୁ ଉତ୍ତରପ୍ରଦେଶ ସରକାର ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଯୋଗୀ ସରକାର ଚାହାନ୍ତି ନାହିଁ ଯେ ରୋହିଙ୍ଗ୍ୟାମାନେ ସେଠାରେ ରୁହନ୍ତୁ ବୋଲି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ଉକ୍ତ ଜମିଟି ସରକାରୀ ଜମି ହୋଇଥିବା ସତ୍ତ୍ୱେ ଜକତ ଫାଉଣ୍ଡେସନ ପକ୍ଷରୁ ସେଠାରେ କଂକ୍ରିଟ ନିର୍ମାଣ କରାଯାଉଛି । ଏଥିପାଇଁ କାମ ବନ୍ଦ କରାଯାଇଛି । ଗତ ଏପ୍ରିଲ ୧୫ ସକାଳୁ ହୋଇଥିବା ଏକ ଅଗ୍ନିକାଣ୍ଡରେ ଉକ୍ତ ରୋହିଙ୍ଗ୍ୟା ବସ୍ତିଟି ପୋଡି ପାଉଁଶ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର